ଗଞ୍ଜାମ (ରଜନୀକାନ୍ତ ପାତ୍ର): ରାଜ୍ୟରେ ଦିନକୁ ଦିନ ନକଲି ଶିକ୍ଷକଙ୍କ ସଂଖ୍ୟା ଓ ଗିରଫଦାରୀ ସଂଖ୍ୟା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ପୋଲସରା ଠାରେ ଜଣେ ନକଲି ଶିକ୍ଷକଙ୍କୁ ଗିରଫ ସହ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାରେ ପୋଲସରା ବ୍ଲକର ନକଲି ଶିକ୍ଷକ କିରଣ ଜେନାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ୨୦୧୯ ରୁ ସାମାଜିକ କର୍ମୀ ସମଜିତ ମହାନ୍ତି ବିଭିନ୍ନ ପର୍ଯ୍ୟାୟରେ ନକଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ କରିଆସୁଛନ୍ତି। ପୂର୍ବରୁ ଜଣେ ଚାକିରି ଛାଡିଥିବାବେଳେ ତିନି ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇସାରିଛି। ପରୋକ୍ଷରେ ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଇଓ କାର୍ଯ୍ୟାଳୟ ସୁରକ୍ଷା ଦେଇ ଆସୁଛନ୍ତି।
ରାଜ୍ୟ ବାହାରୁ ବିଇଡି ଶିକ୍ଷା ଗ୍ରହଣ କରି ଶିକ୍ଷକତା କରୁଥିବା ୩୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ଲାଗି ସାମାଜିକ କର୍ମୀ ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ। ତଦନ୍ତରେ ଶିଥିଳତା ଦେଖି ଶ୍ରୀ ମହାନ୍ତି ହାଇକୋର୍ଟରେ ମାମଲା ଦାୟର କରିଥିଲେ। ହାଇକୋର୍ଟରେ କେସ ନଂ ସିଆରଏଲଏମପି ୨୩୪୫/୨୦୨୧ ରେ ବର୍ତ୍ତମାନ ସୁଦ୍ଧା ମାମଲା ବିଚାରାଧୀନ ରହିଛି। ତେବେ ୩୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାମ ମଧ୍ୟ ରହିଥିଲା। ତେବେ କିରଣ ଜେନାଙ୍କ ସାର୍ଟିଫିକେଟ ଜାଲ ବୋଲି ଜଣାପଡିଥିଲେ ମଧ୍ୟ ପୋଲସରା ବିଇଓ ପ୍ରାୟ ମାସକ ଊର୍ଦ୍ଧ ସମୟ ଧରି ଥାନାରେ ମାମଲା ରୁଜୁ ନକରି ନୀରବ ରହିଥିଲେ। ଶେଷରେ ଭିଜିଲାନ୍ସ ପକ୍ଷରୁ ଚଢାଉ ପରେ ବିଇଓ କାର୍ଯ୍ୟାଳୟରେ ଛନକା ପଶିଥିଲା।
ଶେଷରେ ବିଇଓ କାର୍ଯ୍ୟାଳୟ ପକ୍ଷରୁ ପୋଲସରା ଥାନାରେ ଏତାଲା ଦିଆଯାଇଥିଲା। ପୁଲିସ ପକ୍ଷରୁ ଏତାଲାକୁ ଆଧାର କରି ଥାନାରେ କେସ ନଂ ୩୫୯/୨୨ ରେ ମାମଲା ରୁଜୁ କରାଯାଇଥିଲା। ଏଥି ସହିତ ଦଫା ୪୨୦/୪୬୮/୪୭୧ରେ ମାମଲା ରୁଜୁ ହୋଇଥିବା ନେଇ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଥିଲେ। ଥାନାଧିକାରୀ ଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଜଗନ୍ନାଥ ପ୍ରସାଦ ବ୍ଲକର ବିଡିପୁର ଗ୍ରାମରୁ ନକଲି ଶିକ୍ଷକ କିରଣ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତେବେ କିରଣଙ୍କ ଗିରଫଦାରୀ ପରେ ଅନେକ ନକଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଛନକା ପଶିଯାଇଛି।