ରାଜ୍ୟରେ ଅନୁଭୁତ ହେଲାଣି ପହିଲି ଶୀତ

0

ଫୁଲବାଣୀ: ବଦଳିଲା ପାଗର ମିଜାଜ୍‌ । ରାଜ୍ୟରେ ଅନୁଭୂତ ହେଲାଣି ପହିଲି ଶୀତ । କିଛି ଦିନରେ ଜାଡରେ ଥରିବ ସାରା ଓଡ଼ିଶା। ବିଶେଷକରି ପହିଲି ଶୀତରେ ଥରୁଛି କନ୍ଧମାଳ। କନ୍ଧମାଳ ସମେତ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ଖସିବାରେ ଲାଗିଛି। ଘନ କୁହୁଡିରେ ଆଚ୍ଛାଦିତ ଦାରିଙ୍ଗବାଡ଼ି | ଫୁଲବାଣୀରେ ଦୃଶ୍ୟମାନ ଦୂରତା ୨୦୦ ମିଟର ରେର୍ଡ |

ପାରଳାଖେମୁଣ୍ଡିରେ ୫୦୦ ମିଟର ଦୃଶ୍ୟମାନ ଦୂରତା ରେକର୍ଡ | କୋରାପୁଟ- ୧୫.୫, ଦାରିଙ୍ଗବାଡି-୧୬ ଓ ଫୁଲବାଣୀ- ୧୭ ଡିଗ୍ରୀ ତାପମାତ୍ରା | ଓଡ଼ିଶାର ଭୁସ୍ୱର୍ଗ ଦାରିଙ୍ଗବାଡିରେ ପହିଲି ଶୀତ ସହ ଘନ କୁହୁଡିର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦା ଓ ଲୋକେ । ଚଳିତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସାମାନ୍ୟ ଡେରିରେ ଶୀତ ଅନୁଭୂତ ହୋଇଛି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ଶୀତ ଋତୁରେ ବିଶ୍ୱତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଓଡ଼ିଶା ସମେତ ଦେଶର ପୂର୍ବ ଉପକୂଳରେ ଆସନ୍ତା ଫେବୃଆରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବାର ସମ୍ଭାବନା ରହିଛି। ନଭେମ୍ବରରେ ସାରା ରାଜ୍ୟରେ ଡିସେମ୍ବରରେ ଉଫକୂଳ ସମେତ ଦକ୍ଷିଣ ଓଡ଼ିଶା ଏବଂ ଜାନୁଆରୀ ତଥା ଫେବୃଆରୀରେ ସମଗ୍ର ଉପକୂଳରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ଯୋଗୁଁ ଶୀତ କମ୍‌‌ ରହିବ। ଅନ୍ୟପଟେ ବିଭିନ୍ନ କାରଣ ପାଇଁ ଆଗକୁ ବଙ୍ଗୋପସାଗରରେ ବାତ୍ୟା ପାଇଁ ଅନୁକୂଳ ରହିବ।

ଦକ୍ଷିଣ ଚାଇନା ସମୁଦ୍ରରେ ନଭେମ୍ବରରେ ଝଡ଼ ସୃଷ୍ଟି ହେବାର ଆକଳନ କରାଯାଉଛି। ଏହାର ଶେଷାଂଶ ଥାଇଲାଣ୍ଡ ଦେଇ ବଙ୍ଗୋପସାଗରରେ ପ୍ରବେଶ କରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ। ଅନ୍ୟପଟେ ମଡେଲ୍‌‌ର ଆକଳନରୁ ଜଣାପଡ଼ୁଛି ଯେ ଯଦି ନଭେମ୍ବରରରେ ଏହା ନ ହୁଏ ତେବେ ଆଣ୍ଡାମାନ ପ୍ରଭାବିତ ହୋଇ ବଂଲାଦେଶ ଦକ୍ଷିଣ ଉପକୂଳକୁ ବାତ୍ୟା ବିପଦ ରହିପାରେ। ତେବେ ଦେଶର ପୂର୍ବ ଉପକୂଳରେ କମ୍‌‌ ବର୍ଷା ଆକଳନ ହେତୁ ବାତ୍ୟା ସୃଷ୍ଟି ହେଲେ ମଧ୍ୟ ଓଡ଼ିଶା ମୁହାଁ ହେବାର ସମ୍ଭାବନା କମ୍‌‌ ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।