ଫୁଟ୍‌ବଲ୍‌ର ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ଖେଳାଯିବ ଭୁବନେଶ୍ବରରେ

0

ଭୁବନେଶ୍ୱର: ଅଣ୍ଡର- ୧୭ ମହିଳା ଫିଫା ବିଶ୍ବକପ ପାଇଁ ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ। ଦୀର୍ଘ ୨ ବର୍ଷ ପ୍ରତୀକ୍ଷାର ମଙ୍ଗଳବାର ଅନ୍ତ ଘଟିବ। କୋଭିଡ୍ ପାଇଁ ବାରମ୍ବାର ଘୁଞ୍ଚିଥିବା ଏହି ଫିଫା ଯୁବା ବିଶ୍ବକପ୍‌ର ସପ୍ତମ ସଂସ୍କରଣ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବ। କେବଳ କଳିଙ୍ଗ ନୁହେଁ, ପ୍ରତିଯୋଗିତାର ପ୍ରଥମ ଦିବସରେ ଗୋଆର ମାରଗାଓଁସ୍ଥିତ ପଣ୍ଡିତ ଜବାହରଲାଲ୍ ନେହରୁ ଷ୍ଟାଡିୟମ୍‌ରେ ଏହି ପ୍ରତିଯୋଗିତା ଖେଳାଯିବ। ଫିଫା ବିଶ୍ବକପ ଫିଭରର ମଜା ନେବେ ଦର୍ଶକ। ସଂଧ୍ୟା ୮ଟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟନୀ ମ୍ୟାଚରେ ଆଜି ସାମ୍ନାସାମ୍ନି ହେବେ ଭାରତ ଓ ଶକ୍ତିଶାଳୀ ଆମେରିକା।ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ କିନ୍ତୁ ସ୍ବତନ୍ତ୍ର ଆକର୍ଷଣ ରଖିଛି ଘରୋଇ ଦର୍ଶକଙ୍କ ପାଇଁ। ଭାରତୀୟ ଦଳ ନିଜର ସମସ୍ତ ୩ ଗ୍ରୁପ୍‌ ମ୍ୟାଚ୍‌ ଏଠାରେ ଖେଳିବ।

ଇଣ୍ଡିଆ ୨୦୨୨ ଓ କିକ୍‌ ଅଫ୍‌ ଦ ଡ୍ରିମ୍ସ ଆଦି ଟ୍ୟାଗ୍‌ଲାଇନ୍ ସହିତ ଏହି ଦ୍ବିବାର୍ଷିକ ବିଶ୍ବକପ୍‌କୁ ଓଡ଼ିଶାର ଫୁଟ୍‌ବଲ୍‌ପ୍ରେମୀ ନିଜ ଘରୋଇ ପରିବେଶରୁ ଦେଖିବାକୁ ପାଇବେ। କଳିଙ୍ଗ ଷ୍ଟାଡିୟମ୍‌ରେ ଅପରାହ୍ନ ୪.୩୦ରେ ମରୋକ୍କୋ-ବ୍ରାଜିଲ୍‌ ଖେଳିବା ପରେ ରାତି ୮.୦୦ରେ ଭାରତ ଖେଳିବ ଆମେରିକା ସହିତ। ତେବେ ଶାନ୍ତି ଶୃଙ୍ଖଳା ପାଇଁ ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିଛି କଳିଙ୍ଗ ଷ୍ଟାଡ଼ିୟମ। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନସପେକ୍ଟର୍, ୧୦୦ ଅଧିକାରୀ, ୨୪୦ କନେଷ୍ଟବଳ ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ମିଳିଛି।୫ ବର୍ଷ ତଳେ ଭାରତୀୟ ଯୁବ ଦଳ (୧୭ ବ‌ର୍ଷରୁ କମ୍‌ ପୁରୁଷ) ମଧ୍ୟ ଅନୁରୂପ ଭାବେ ସମାନ ସୁଯୋଗ ପାଇଥିଲା ଭାରତ ମାଟିରେ। କୌଣସି ବର୍ଗର ଫିଫା ପ୍ରତିଯୋଗିତାରେ ଭାରତୀୟ ମହିଳାଙ୍କ ଅଂଶଗ୍ରହଣ ପ୍ରଥମ ହେବ। ରାଜଧାନୀ ବସି ଓ ଖେଳ ପ୍ରେମୀ ବହୁତ ଉତ୍ସାହିତ ଅଛନ୍ତି |