ଚିର ସ୍ମରଣୀୟ ଅକ୍ଷୟ ମହାନ୍ତି

0

କଟକ: ଆଜି ଅକ୍ଷୟ ମହାନ୍ତିଙ୍କ ଜନ୍ମ ଦିବସ । ୨୨ ବର୍ଷ ହେଲାଣି ତାଙ୍କ ଗୀତ ଶୁଣିବାକୁ ମିଳୁନି ସତ ହେଲେ ସେ ଆଜି ବି ସମସ୍ତଙ୍କ ହୃଦୟରେ ସେହି ଅକ୍ଷୟ ହୋଇରହିଛନ୍ତି । ତାଙ୍କ କଣ୍ଠଶ୍ୱର କେହି ବି ଭୁଳିପାରିବେନି । ପ୍ରତ୍ୟେକ ଓଡିଆଙ୍କ ପ୍ରଥମ ମନପସନ୍ଦ ଗୀତିକାର କେବଳ ଅକ୍ଷୟ ମହାନ୍ତି ରହିଥିଲେ ରହିଛନ୍ତି ରହିବେ ମଧ୍ୟ । ରାଜଧାନୀ ରାଜେମାଙ୍କ ପ୍ରେମ, ଧୋକା, ଡ଼ାକବାଲାର ଚିଠି, ଗାଁ ବୋହୁର ଧକଧକ ଛାତି, ବାପଘର, ରଙ୍ଗଲତା, ବୟସର କୃଷ୍ଣଚୂଡ଼ା ରଙ୍ଗ ଏସବୁ ସଂଗୀତ ଅତିଲୋକପ୍ରିୟତା ହାସଲ କରିଥିଲା ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣୁ ହୁଅନ୍ତି । ଗୀତରେ ସେ ବାସ୍ତବତା ସୃଷ୍ଟି କରନ୍ତି । ମଧୁର ସ୍ୱରରେ ସମସ୍ତଙ୍କୁ ମୁଗ୍ଧ କରିଦିଅନ୍ତି ।

ଆଜି ବି ରେଡ଼ିଓରେ ପୁଣ୍ୟତିଥି ଗୀତ ଶୁଣିଲେ ସେହି ପୁରୁଣା ଯୁଗର ବାସ୍ତବ ଚିତ୍ର ଆଖିଆଗକୁ ଆସିଯାଏ । ଅକ୍ଷୟ ମହାନ୍ତିଙ୍କ କଥା ଯେତେ କହିଲେ କମ ପଡିବ । ସେ ଥିଲେ ଓଡ଼ିଆ ସଂଗୀତର ପ୍ରାଣ ପ୍ରତିଷ୍ଠାତା । ଓଡିଆ ଗୀତର ସ୍ପନ୍ଦନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଆ ଗୀତକୁ ନୂଆ ପରିଚୟ ଦେଇଥିଲେ । ତାଙ୍କ ଗୀତରେ ଥିଲା ଓଡ଼ିଶାର ଚାଲିଚଳଣୀ, ବେଶଭୂଷା, ଓ ରାଗରୁଷା । ସ୍ୱାମୀ-ସ୍ତ୍ରୀ ଝଗଡ଼ାକୁ ବି ଗୀତରେ ସ୍ଥାନ ଦେଉଥିଲେ । ପ୍ରେମ ପ୍ରତାରଣା କୁ ବି ସେତିକି ଗୁରୁତ୍ୱ ଦିଅନ୍ତି ଗୀତିକାର ଅକ୍ଷୟ ମହାନ୍ତି । ଯା ରେ ଭାସି ଭାସି ଭାଷିଯା, ଯା..ଯାବର, ଯାରେ ମେଘ ଭାସି ଯା, ହେ ଫଗୁଣ ତୁମେ, ପୁଣ୍ୟର ନଦୀ ତିରେ, ସ୍ମୃତି ତୁମେ ପାଉଁଶ ତଳର ନିଆଁ, ବୟସର କୃଷ୍ଣାଚୂଡ଼ା ଅହୁରି ଲୋକପ୍ରିୟ ସଂଗୀତ ।

ତେବେ କଟକ ସହରରେ ୧୯୩୬ ମସିହାରେ ଅକ୍ଟୋବର ୧୨ତାରିଖରେ ଜନ୍ମଗ୍ରହଣ କରିଥିଲେ ଅକ୍ଷୟ ମହାନ୍ତି । ରେଭେନ୍ସା ମହାବିଦ୍ୟାଳୟରୁ ଏମଏ କରିବା ପରେ ମଧୁସୂଦନ ଲ କଲେଜରୁ ନିଜ ଆଇନ ଶିକ୍ଷା ମଧ୍ୟ ଶେଷ କରିଥିଲେ । ୧୯୪୮ରେ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଶିଶୁ ଶିଳ୍ପୀ ଭାବେ ସାମିଲ ହୋଇଥିଲେ । ବାସ୍, ଏଇଠୁ ଆରମ୍ଭ ହୋଇଥିଲା ଅକ୍ଷୟଙ୍କ ସଙ୍ଗୀତ ଅଭିଯାନ। ଗୋଟିଏ ପରେ ଗୋଟିଏ ହୃଦୟଭରା ଗୀତ ଉପହାର ଦେଇ ଚାଲିଗଲେ ନଭେମ୍ବର ୧୭, ୨୦୦୧ରେ। ସେହିଦିନଠୁ ସଙ୍ଗୀତ ଦୁନିଆରେ ଶେଷ ହୋଇଥିଲା ଅକ୍ଷୟ ଯୁଗ । ମୁକୁଟ ବିହୀନ ହୋଇଗଲା ସଙ୍ଗୀତ ସାମ୍ରାଜ୍ୟ। ହେଲେ ଏବେ ବି ମନ ଉଦାସ ହୋଇଗଲେ ଗୁଣୁଗୁଣୁ ହୋଇ ଝରିଆସେ ‘ଏମିତି ଏକ ବଗିଚାରେ ମୁଁ ବାନ୍ଧିଥିଲି ମୋ ଘର….।’

ନିର୍ଜନ ରାତିର ନିଃସଙ୍ଗତା ଯେତେବେଳେ ମାଡିବସେ ଶୂନ୍ୟ ମନରୁ ଝରିପଡେ ସେଇ ଦରଦ ଭରା ଗୀତ ‘ହେ ଫଗୁଣ ତୁମେ ଗଲା ପରେ…ପାପର ତରୁଡାଳେ’, ସୁନ୍ଦରୀ ଗାଁ ଝିଅକୁ ବହୁଦିନ ପରେ ସହର ଛକରେ ଦେଖିଲେ ମନେ ପଡିଯାଏ ‘ହେ..ହେ..ଆଲୋ ମଣି…।’ପ୍ରତିଟି ଓଡିଆ ଝିଅଙ୍କ ମନରେ ଖୋକା ଭାଇ ମାନେ ଅକ୍ଷୟ ମହାନ୍ତି ଥିଲେ । ଦୁନିଆରେ ନଥିଲେ ମଧ୍ୟ ତାଙ୍କ ସଂଗୀତ ସମସ୍ତଙ୍କ ମନରେ ଅଛି ।