ପାକିସ୍ତାନରେ ଗୃହ ଯୁଦ୍ଧ: ନିଜ ନାଗରିକଙ୍କୁ ପାକିସ୍ତାନ ଛାଡିବାକୁ ଫ୍ରାନ୍ସର ନିର୍ଦ୍ଦେଶ

0

କରାଚି: ପାକିସ୍ତାନରେ ଗୃହ ଯୁଦ୍ଧ । ସରକାର ବିରୋଧୀ ଅସନ୍ତୋଷ ପାଇଁ ମୌଳବାଦୀ ଇସ୍ଲାମ ସଙ୍ଗଠନ ତେହେରିକ-ଏ-ଲବକ୍ ପାକିସ୍ତାନ (ଟିଏଲପି) ନେତୃତ୍ୱରେ ଜନତା ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ବିଭିନ୍ନ ସ୍ଥାନରେ ପୋଲିସ ଓ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ଜାରି ରହିଛି। ପ୍ରାୟ ୩ ଦିନ ପୂର୍ବେ ଏହି ହିଂସାର ସୂତ୍ରପାତ ହୋଇ ଧୀରେଧୀରେ ଏହା ଦେଶବ୍ୟାପୀ ବ୍ୟାପିବାରେ ଲାଗିଛି ।
ଗତବର୍ଷ ଫରାସୀ ମ୍ୟାଗଜିନ୍‌ରେ ପ୍ରକାଶିତ ପୈଗମ୍ବର ମହମ୍ମଦଙ୍କ ବ୍ୟଙ୍କ ଚିତ୍ରକୁ ନେଇ ଦେଶରେ ଥିବା ଫରାସୀ ରାଷ୍ଟ୍ରଦୂତଙ୍କୁ ଏପ୍ରିଲ ୨୦ ସୁଧା ନିଷ୍କାଷିତ କରିବା ଲାଗି ସରକାରଙ୍କୁ ଅଲ୍ଟିମେଟମ ଦେଇଥିଲା। ତେବେ ସରକାର ସେ ବାବଦରେ କୌଣସି ନିଷ୍ପତ୍ତି ନେବା ବଦଳେ ପାକ୍ ପୋଲିସ ସୋମବାର ସଙ୍ଗଠନର କାର୍ୟ୍ୟକର୍ତ୍ତା ସାଦ ହୁସେନ ରିଜଭିଙ୍କୁ ଗିରଫ କରିବାପରେ ଜନତା ତାତି ଉଠିଛନ୍ତି । ଲଗାତାର ତୃତୀୟ ଦିନ ଦେଶରେ ରକ୍ତାକ୍ତ ସଂଘର୍ଷକୁ ନେଇ ୧୯୯୭ ଆତଙ୍କବାଦ ନିରୋଧୀ ଅଧିନିୟମର ଧାରା ୧୧-ବିରେ ଟିଏଲପିକୁ ଦେଶରେ ନିଷିଦ୍ଧ କରିବା ଲାଗି ପଞ୍ଜାବ ସରକାରଙ୍କ ପ୍ରସ୍ତାବକୁ ଇମ୍ରାନ ସରକାର ମଞ୍ଜୁର କରିଛନ୍ତି । ଫଳରେ ଦେଶରେ ମୌଳବାଦୀ ସଂଗଠନ ନିଷିଦ୍ଧ ହୋଇଯାଇଥିବା ବେଳେ ଜନଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି।
ଅନ୍ୟପଟେ ପାକିସ୍ତାରେ ହିଂସାକୁ ଦେଖି ଫ୍ରାନ୍ସ ସରକାର ପାକିସ୍ତାନରେ ରହିଥିବା ଫ୍ରେନ୍ସ ନାଗରିକ ଓ କମ୍ପାନୀକୁ ସାମୟିକଭାବେ ପାକିସ୍ତାନ ଛାଡିବାକାୁ ନିର୍ଦ୍ଦେଶ ଦେଇଛନ୍ତି ।