ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ 102 ବର୍ଷ ବୟସରେ ପରଲୋକ

0

ପୁରୀ : ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ 102 ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ପୁରୀ ଗୁଣ୍ଡିଚା ମନ୍ଦିର ନିକଟ ବାସ ଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଗତକାଲି ସଂଧ୍ୟା ୬.୨୫ମି ସମୟରେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ବାସଭବନରେ ସ୍ବାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ ବାର୍ଦ୍ଧକ୍ୟ ଜନିତ କାରଣରୁ ୧୦୨ ବର୍ଷ ବୟସରେ ପରଲୋକ ହୋଇଛି ।

ସୁଲକ୍ଷଣାଙ୍କ ସ୍ୱାମୀ ସ୍ୱର୍ଗତ ହରିହର ମହାପାତ୍ର ମଧ୍ୟ ସ୍ଵାଧୀନତା ସଂଗ୍ରାମୀ ଥିଲେ। ଖୁବ କମ ବୟସରୁ ଉଭୟ ପତି ପତ୍ନୀନିତୀ ଲୋକ ସହ ମିଶି ଗାନ୍ଧିଜୀଙ୍କ ନିତୀ ଆଦର୍ଶ ସମ୍ପର୍କରେ ଅବଗତ କରାଇବା ସହ ଆନ୍ଦୋଳନରେ ସାମିଲ୍ ହେବାକୁ ଚେତାଉ ଥିଲେ। 2013 ଅଗଷ୍ଟ 9ରେ ସୁଲକ୍ଷଣା ମହାପାତ୍ରଙ୍କୁ ରାଷ୍ଟ୍ରପତି ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିଥିଲେ। ମହାତ୍ମା ଗାନ୍ଧୀ ଯେତେବେଳେ ପୁରୀର ଡେ଼ଲାଙ୍ଗ ବେରବୋଇ ଆସିଥିଲେ ସେ ଗାନ୍ଧିଜୀଙ୍କୁ ଭେଟି ସ୍ଵାଧୀନତା ସଂଗ୍ରାମ ପାଇଁ ସେ ନିଜର ସମସ୍ତ ସୁନା ଗହଣା ଦାନ କରିଥିଲେ।

ମହିଳା ମାନଙ୍କ ପାଇଁ ସେତେବେଳେ ଅନେକ ସାମାଜିକ କଟକଣା ଥିବା ବେଳେ ତାକୁ ଖାତିର ନ କରି ସେ ଘରୁ ବାହାରି ସ୍ଵାଧୀନତା ଆନ୍ଦୋଳନ ଓ ଗାନ୍ଧୀଙ୍କ ଆଦର୍ଶ ନେଇ ଅଭିଯାନ ଚଳାଇ ଥିଲେ। ତାଙ୍କ ବିୟୋଗରେ ସବୁଆଡେ ଶୋକର ଛାୟା ଖେଳି ଯାଇଛି। ପୁରୀରେ ସ୍ଵର୍ଗ ଦ୍ବାରରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ତାଙ୍କ ଦୁଇ ପୁଅ ଗୌରୀ ଶଙ୍କର ମହାପାତ୍ର ଓ ଦୂର୍ଗା ମହାପାତ୍ର ମୁଖଗ୍ନି ଦେଇ ଥିଲେ। ଅନ୍ତିମ ଦର୍ଶନ ନେଇ ସ୍ୱର୍ଗ ଦ୍ଵାର ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଭିଡ଼ ଲାଗିଥିଲା।