ଭୁବନେଶ୍ୱର : ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ପକ୍ଷରୁ‘ଲିଡରସିପ ଡେଭଲପମେଣ୍ଟ’ଉପରେ ତିନିଦିନିଆ ତାଲିମ୍ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ଏହାକୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡାଇରେକ୍ଟର ଜେନେରାଲ୍ ଶ୍ରୀ ରାଜ କୁମାର ଶର୍ମା ଉଦ୍ଘାଟନ କରିବା ସହ ଜନସାଧାରଣ ମାନଙ୍କୁ ଉନ୍ନତ ସେବା ପ୍ରଦାନ ନିମନ୍ତେ ଆଗେଇ ଆସିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସରକାରଙ୍କ ପକ୍ଷରୁ ଜାରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗୁଡ଼ିକ ଗରିବ ଲୋକମାନଙ୍କ ନିକଟରେ ଯେଭଳି ପହଞ୍ଚି ପାରିବ ଏଥିନିମନ୍ତେ ଅଧସ୍ତନ ଅଧିକାରୀ ମାନଙ୍କ ମାର୍ଗଦର୍ଶନ କରିବା ନିମନ୍ତେ ସେ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିନିମନ୍ତେ ନେତୃତ୍ୱ ବିକାଶର ଆବଶ୍ୟକତା ଥିବା ସେ କହିଥିଲେ । ୫-ଟି ଉପକ୍ରମ ମାଧ୍ୟମରେ ଜନସାଧାରଣ ମାନଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଜାଭିୟର ଇନିଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟର ପ୍ରଫେସର ଡଃ ଅମର କେଜେଆର ନାୟକ ଏଥିରେ ଯୋଗଦେଇ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷାକରି ବ୍ୟକ୍ତିଗତ କାର୍ଯ୍ୟଶୈଳୀ ଏବଂ ଗୋଷ୍ଠୀଗତ ବିଚାରଧାରାକୁ ସମ୍ମିଳିତ କରି ବିଭିନ୍ନ କ୍ଷେତ୍ରରେ ଏହାକୁ ସଫଳତାର ସହ ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଥିଲେ ।
କର୍ମକ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାକୁ ସୁଯୋଗରେ ପରିଣତ କରିବା ସହ ସମ୍ବିଧାନିକ ମୂଲ୍ୟବୋଧ, ଦାୟିତ୍ୱ ଓ କର୍ତ୍ତବ୍ୟବୋଧକୁ ପାଥେୟ କରି ଆଗକୁ ବଢିବା ଆଜିର ସମୟର ଆହ୍ୱାନ ବୋଲି ସେ କହିଥିଲେ । ଏହି ତିନିଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ପ୍ରାୟ ୫୦ ଜଣ ଅଧିକାରୀ ଭାଗ ନେଇଥିଲେ । ରାଜ୍ୟ ସରକାରଙ୍କ ସହଯୋଗିତା ଏବଂ ଜାଭିୟର ଇନିଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ମିଳିତ ଆନୁକୂଲ୍ୟରେ ଏହି ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ କାନନବାଳା ନାୟକ ତାଲିମ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏକାଡେମୀର ଡେପୁଟି ଡାଇରେକ୍ଟର ଜେନେରାଲ ଶ୍ରୀ ପ୍ରତାପ କୁମାର ମିଶ୍ର, ଅତିରିକ୍ତ କମିଶନର ଡଃ ହିଂମାଶୁ ଭୂଷଣ ପଣ୍ଡା, ଉପନିର୍ଦ୍ଦେଶକ ଡଃ ମମତାରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।