(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): କୋରୋନା କଟକଣାକୁ ଉଲଙ୍ଘନ କରି ପୁଣି ଆଜି ଗର୍ଜିଲେ ବିଚ୍ଛିନ୍ନାଞ୍ଚଳର ଅଧିବାସୀ । ବିଚ୍ଛିନ୍ନାଞ୍ଚଳର ଅଙ୍ଗୁରଗୁଡା, ଅମ୍ବିଲି ବେଡା, ସାନ୍ ଅମ୍ବିଲି ବେଡା, ଟିକର ପଡା, ଖଜୁରୀ ଗୁଡା, ବକୁଲି, ନାରିଙ୍ଗିଜୋଲା, ମୁଦୁଲିଗୁଡା, ରାବା, ଟାଇମାଲ, ଲାଡି ଗୁଡା, ଦାମୋଦର ବେଡା, ବାୟା ପଡା, ସରି ପଡା, ଗଙ୍ଗା ପଡା, ଜଲା ଗୁଡା, ବାଟା ଗୁଡା ଏଭଳି ଅନେକ ଗ୍ରାମର ଶହ ଶହ ଅଧିବାସୀମାନେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଥିବା ନରିଙ୍ଗିଜଲା ଗ୍ରାମରେ ଏକଜୁଟ ହୋଇ ସରକାର ଓ ପ୍ରଶାସନର ବିରୋଧରେ ସ୍ଵର ଉତ୍ତୋଳନ କରିଥିଲେ ।ସେମାନେ ଆଜି ୧୧ ଦଫା ନେଇ ସରକାରଙ୍କ ପାଖରେ ଦାବି ରଖିଛନ୍ତି । ମୁଖ୍ୟ ଦାବି ହେଉଛି ମୁଦୁଲି ଗୁଡା ଓ ବାୟା ପଡା ଗ୍ରାମରେ ପଞ୍ଚାୟତ ଅଫିସ ଖୋଲିବା, ବିଦ୍ୟାଳୟ ଓ ହଷ୍ଟେଲ ଖୋଲିବା, ମେଡିକାଲ ଖୋଲିବା ଓ ଅଙ୍ଗନବାଡି ଖୋଲିବା ଓ ବିଭିନ୍ନ ଗ୍ରାମକୁ ପକ୍କା ରାସ୍ତା କରିବା ସେମାନଙ୍କ ମୁଖ୍ୟ ଦାବି ରହିଥିଲା । ଦୀର୍ଘ ୧୦ ବର୍ଷ ହେବ ବାରମ୍ବାର ସରକାର, ଏମପି, ଏମ୍ଏଲଏ ଓ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରୁଥିବାବେଳେ କୌଣସି ଫଳପ୍ରଦ ହଉନାହିଁ ବୋଲି ଆଜି ପୁଣି ଥରେ ଶହ ଶହ ଗ୍ରାମବାସୀ ଏକାଠି ହୋଇଛନ୍ତି । ଗ୍ରାମବାସୀଙ୍କ ଦାବି ପୂରଣ ନହେଲେ ପ୍ରାୟ ୨୫ ଖଣ୍ଡ ଗ୍ରାମର ଶହ ଶହ ଗ୍ରାମବାସୀ ଜିଲ୍ଲାପାଳ ଓ ରାଜରାସ୍ତାକୁ ଅବରୋଧ କରିବେ ବୋଲି ଧମକ ଦେଇଛନ୍ତି।