ଭିଜିଲାନ୍ସ ଟ୍ରାପରେ ସରକାରୀ ବାବୁ: ରିମାଣ୍ଡର ଦ୍ୱିତୀୟ ଦିନରେ ଚାଲିଥିଲା ଭିଜିଲାନ୍ସର ଜୋରଦାର ଜେରା

0

ଭୁବନେଶ୍ୱର: କଣ ଆପଣ ବି ସରକାରୀ ଚାକିରିଆ କି ? କଣ ଆପଣଙ୍କ ନିକଟରେ ବି ଅଛି ପୁଳା ପୁଳା ଆୟ ବହିର୍ଭୁତ ସମ୍ପତ୍ତି ? ତେବେ ହୋଇ ଯାଆନ୍ତୁ ସାବଧାନ୍ ? ଆପଣଙ୍କ ଅବସ୍ଥା ବି ହୋଇପାରେ ଏହି କୋଟିପତି ସରକାରୀ ବାବୁଙ୍କ ଭଳି ।କାରଣ ଯେତେ ଖୋଳିଲେ ସେତେ ବାହାରୁଛି କୁବେର ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି । ଶେଷ ହେବାର ନାଁ ଧରୁନି କୋଟିପତି ସରକାରୀ ବାବୁଙ୍କ ସମ୍ପତ୍ତିର ଗନ୍ତାଘର । କିଛିଦିନ ପୂର୍ବେ ଭଞ୍ଜନଗର ସହାକାରୀ ଯନ୍ତ୍ରୀଙ୍କ ଘରେ ଅତର୍କିତ ରେଡ୍ କରିଥିଲା ଭିଜିଲାନ୍ସ ବିଭାଗ। ଆଉ ଏହି ରେଡ୍‌ ବେଳେ ଭିଜିଲାନ୍ସ ହାତରେ ଲାଗିଥିଲା ଏହି ସରକାରୀ ଚାକିରିଆଙ୍କ ଆଖି ଖୋସି ହେଲା ଭଳି ସମ୍ପତ୍ତି । ରେଡ୍ ରେ ବାବୁଙ୍କ ଘରୁ ଲକ୍ଷେ କିମ୍ବା ୧୦ ଲକ୍ଷ ନୁହେଁ ବରଂ ମିଳିଥିଲା ୨ କୋଟିରୁ ଉର୍ଦ୍ଧ ଟଙ୍କାର କ୍ୟାସ୍ ସାଙ୍ଗକୁ ସୁନା ଦୋକାନୀ ଠାରୁ ଅଧିକ ସୁନା ଗହଣା, ଯାହା ଦେଖି ଶେଷରେ ଭିଜିଲାନ୍ସ ବିଭାଗର ବି ଅକଲ ଗୁଡ଼ୁମ୍ ହୋଇଯାଇଥିଲା ।

ରେଡ୍‌ରେ ୨ କୋଟି ଟଙ୍କା ମିଳିବା ଓଡ଼ିଶା ଭିଜିଲାନ୍ସ ଇତିହାସରେ ଥିଲା ପ୍ରଥମ ଘଟଣା। ଅସାଧୁ ଉପାୟରେ ଜଣେ ସହକାରୀ ଯନ୍ତ୍ରୀ କେତେ ଉପୁରି କମାଇ ପାରନ୍ତି ତାହାର ଜୀବନ୍ତ ଉଦାହରଣ ପାଲଟିଥିଲେ କାର୍ତ୍ତିକେଶ୍ୱର ରାଉଳ ।ଯନ୍ତ୍ରୀଙ୍କର ଭୁବନେଶ୍ୱର ସ୍ଥିତ ଫ୍ଲାଟ୍‌ରୁ ମିଳିଥିଲା ନଗଦ ୨ କୋଟି ୫୦ ହଜାର ଟଙ୍କା । ରେଡ୍ ସମୟରେ ଠାବ ହୋଇଥିବା ଏହି ଟଙ୍କାକୁ ଗଣି ଗଣି ନୟାନ୍ତ ହୋଇଥିଲା ଭିଜିଲାନ୍ସ ବିଭାଗ ଆଉ ଟଙ୍କା ଗଣିବା ପାଇଁ ନିୟୋଜିତ ହୋଇଥିଲା ଏକାଧିକ ମେସିନ୍‌ । ଆଉ ତାପରେ ସାରାରାତି ଚାଲିଥିଲା ଯନ୍ତ୍ରୀଙ୍କ କଳା ସମ୍ପତ୍ତିର ହିସାବ ନିକାସ ।

ଏଇଠି ଶେଷ ହୋଇ ଯାଇନଥିଲା ବାବୁଙ୍କ ଅମାପ ସମ୍ପତ୍ତିର ଠିକଣା । ବରଂ ଏହି କଳା ଧନର ଚେର ଲମ୍ବିଥିଲା କାର୍ତ୍ତିକେଶ୍ୱରଙ୍କ ସ୍ତ୍ରୀ ଏବଂ ଶାଳିଙ୍କ ଘର ପର୍ଯ୍ୟନ୍ତ … ଦେଖିବାକୁ ମିଳିଥିଲା ସରକାରୀ ବାବୁଙ୍କ ସ୍ତ୍ରୀ ଏବଂ ଶାଳୀ ପ୍ରୀତି …. ଛାନଭିନ ସମୟରେ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀଙ୍କ ଘରୁ ଜବତ ହୋଇଥିଲା ୨କୋଟିରୁ ଅଧିକ ଟଙ୍କା । ଏବଂ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ ଅର୍ଥାତ କାର୍ତ୍ତିକେଶ୍ୱରଙ୍କ ଶାଳୀଙ୍କ ଘରୁ, ୧ କୋଟି ୪୧ ଲକ୍ଷ ୬୨ ହଜାର ୪୦୦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ବିଭାଗ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହିକି ଯେ, ଏହି କୋଟିପତି ସରକାରୀ ବାବୁ ଭିଜିଲାନ୍ସ ବିଭାଗର ନଜର ହଟାଇବା ପାଇଁ ରଚିଥିଲେ ଚକ୍ରବ୍ୟୁହ । ଆଉ ଏହି ଚକ୍ରବ୍ୟୁହର ଅଭିମନ୍ୟୁ ସାଜିଥିଲେ ଯନ୍ତ୍ରୀଙ୍କ ଶାଳୀ । ସାଲିଆସାହି ହାତିଆଶୁଣି ବସ୍ତିର ଏକ ଝୁମ୍ପୁଡ଼ି ଘରେ ରହି ନିର୍ମାଣ ଶ୍ରମିକ ଭାବେ କାମ କରୁଥିବା ତାଙ୍କ ଶାଳୀଙ୍କ ଘରେ ଏହି ଟଙ୍କା ଲୁଚାଇ ରଖିଥିଲେ ସରକାରୀ ବାବୁ ।

ତେବେ ଏତେ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଠାବ ପରେ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ୍ ହାଜତରେ ପଶିଥିଲେ ଏହି କୋଟିପତି ବିଭାଗୀୟ ଯନ୍ତ୍ରୀ। ତେବେ ପୋଲିସ ତାଙ୍କୁ ରିମାଣ୍ଡରେ ନେବା ପରେ ଆଜି ତାଙ୍କ ରିମାଣ୍ଡର ଦ୍ୱିତୀୟ ଦିନ । କାର୍ତ୍ତିକେଶ୍ୱରଙ୍କୁ ଗୁଡେଇ ତୁଡେଇ ଜେରା କରିବ ଭିଜିଲାନ୍ସ। ଭିଜିଲାନ୍ସ କାର୍ଯ୍ୟଳୟରେ ରଖି ତାଙ୍କୁ କରାଯାଉଛି ମାରାଥନ ଜେରା । ଦୁଇଦିନ ଧରି ଚଢ଼ାଉରେ ଠାବ ହୋଇଛି ତାଙ୍କର ୫ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି । ଯାହା ତାଙ୍କ ଆୟଠାରୁ ୭୪୧ ଗୁଣା ଅଧିକ ବୋଲି ଭିଜିଲାନସ୍ ପକ୍ଷରୁ କୁହାଯାଇଛି । ତେବେ ସରକାରୀ ବାବୁଙ୍କ ଏହି ଲମ୍ବା ଚଉଡ଼ା ସମ୍ପତ୍ତି ତାଲିକା ଶୁଣି, ଅନ୍ୟ ମାନଙ୍କ ଭଳି ଆପଣ ମଧ୍ୟ ଭାବୁଥିବେ ବାବୁଙ୍କ ନିକଟରେ ଏତେ ଟଙ୍କା ଆସିଲା କୁଆଡୁ ? କଣ ସତରେ ଆଉ ମା ଲକ୍ଷ୍ମୀ ଶ୍ରୀୟା ଚଣ୍ଡାଳୁଣୀର ଘର ଛାଡି କୋଟିପତି ସରକାରୀ ବାବୁଙ୍କ ଉପରେ ଧନ ବର୍ଷା କରି ନାହାନ୍ତି ତ ….