ରାଜଧାନୀରେ ବାଣ ବିକ୍ରୀକୁ ଗ୍ରୀନ ସିଗ୍ନାଲ 

 ଅନୁମତି ନେଇ ୭ ଟି ସ୍ଥାନରେ ଖୋଲିବ ଦୋକାନ

0

ଭୁବନେଶ୍ୱର(ହରପ୍ରସାଦ ବିଷୋୟୀ):୨ ବର୍ଷ ପରେ ରାଜଧାନୀ ଭୁବନେଶ୍ୱରରେ ବାଣ ବିକ୍ରିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ରାଜଧାନୀର ୭ଟି ସ୍ଥାନରେ ବାଣି ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଛି । ବିଭିନ୍ନ ବିଭାଗ ଠାରୁ ଅନୁମତି ନେଇ ବାଣ ଦୋକାନ ଖୋଲିପାରିବେ ବ୍ୟବସାୟୀ । ବାଣବିକ୍ରି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଏମସିକୁ ଚିଠି ଲେଖାଯାଇଛି ।କୋଭିଡ କଟକଣା ଯୋଗୁଁ ରାଜଧାନୀରେ ବନ୍ଦ ଥିବା ବାଣ ବିକ୍ରୀକୁ ଗ୍ରୀନ ସିଗ୍ନାନ ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଏମସିକୁ ସୂଚନା ଦିଆଯାଇଛି ।

ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନୁମତି ଦେବାକୁ ବିଏମସି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ତାହାର ଜବାବରେ ଆଜି ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମାନସ ରଞ୍ଜନ ସାମଲ ଏ ନେଇ ବିଏମସିର ଅତିରିକ୍ତ କମିଶନରଙ୍କୁ ଚିଠି ଲେଖିଛନ୍ତି । ରାଜଧାନୀର ୭ଟି ସ୍ଥାନରେ ବାଣି ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଥିବା ଚିଠିରେ ଦର୍ଶାଯାଇଛି । ଗାଡ଼କଣ, ବମିଖାଲ, ପାଣ୍ଡରା, ବାପୁଜୀନଗର, ଲକ୍ଷ୍ମୀସାଗର ଓ ବଡ଼ଗଡ଼ର ୨ଟି ଚିହ୍ନଟ ସ୍ଥାନରେ ବାଣ ବିକ୍ରି ନେଇ ଅନୁମତି ଦିଆଯାଇଛି । ଦୋକାନ ଖୋଲିବା ପୂର୍ବରୁ ଭୁବନେଶ୍ୱର ଡିସିପି କାର୍ୟ୍ୟାଳୟ, ଅଗ୍ନିଶମ, ଶକ୍ତି ବିଭାଗର ଅନୁମତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ୧୦୦ ବର୍ଗ ଫୁଟ ଯାଗା ପାଇଁ ବ୍ୟବସାୟୀଙ୍କୁ ୧୬୦ ଟଙ୍କା ବିଏମସିକୁ ଦେବାକୁ ପଡିବ ।