ରାଜ୍ୟରେ ବର୍ଷାରୁ ନାହିଁ ନିସ୍ତାର

0

ଭୁବନେଶ୍ୱର: ରାଜ୍ୟରେ ଲାଗିରହିଛି ବର୍ଷା | ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ନେଇ ମିଳିଛି ସୂଚନା । ସକ୍ରିୟ ଘୂର୍ଣ୍ଣବଳୟ ପ୍ରଭାବରେ ଦକ୍ଷିଣ ଉପକୂଳ ଓ ତା’ର ପାର୍ଶ୍ୱ ଜିଲ୍ଲାରେ ଲାଗି ରହିବ ବର୍ଷା । ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ୫ଟି ଜିଲ୍ଲାକୁ ୟେଲୋ ୱର୍ନିଙ୍ଗ ମଧ୍ୟ ଜାରି ହୋଇଛି । ସେହିପରି ଗତକାଲି ଆନ୍ଧ୍ର ପ୍ରଦେଶ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଅବସ୍ଥିତ ଘୂର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସକ୍ରିୟ ରହିଛି।

ଏହି ଘୂର୍ଣ୍ଣିବଳୟ ସହ ଏକ ଟ୍ରଫ୍‌ ଲାଇନ ମଧ୍ୟ ଆନ୍ଧ୍ର ପ୍ରଦେଶ ଠାରୁ କେନ୍ଦ୍ରୀୟ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଛି। ଏହା ସହ ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । କୋରାପୁଟ ଜିଲ୍ଲା ପଟାଙ୍ଗିରେ ସର୍ବାଧିକ ୭୪ ମିଲିମିଟର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୬୮ ମିଲିମିଟର ଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ୬୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ସେହିପରି ଆସନ୍ତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଅନୁଗୁଳ, କୋରାପୁଟ ଓ ମାଲକାନଗିରିରେ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି । କେବଳ ସେତିକି ନୁହେଁ ସ୍ଥାନେ ସ୍ଥାନେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି |