ବିଧାୟକ ମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ କେତେ ଗ୍ରହଣୀୟ ?

0

ଭୁବନେଶ୍ୱର:ଗତ ବିଧାନସଭା ଅଧିବେଶନରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧିକୁ ନେଇ ଗୃହରେ ହଟଗୋଳ ଲାଗିରହିଥିଲା | ତେବେ ଏନେଇ ରାଜନୀତିଜ୍ଞ ମଧ୍ୟରେ ଚର୍ଚ୍ଚା ଜୋରେ ଧରିଛି | ଚର୍ଚ୍ଚାର ବିଷୟବସ୍ତୁ ମଧ୍ୟ ବଡ ଅଜବ ରହିଛି | ବିଧାୟକମାନେ ଦରମା ବଢ଼ାଇବା ପାଇଁ ଯୁକ୍ତି କରିବା ସମୟରେ ଯେଉଁ ରାଜ୍ୟମାନଙ୍କରେ ଦରମା ଓଡ଼ିଶାଠାରୁ ଅଧିକ ଅଛି ସେଗୁଡ଼ିକର ଉଦାହରଣ ପ୍ରଦାନ କରିଛନ୍ତି। କିନ୍ତୁ ଯେଉଁ ରାଜ୍ୟମାନଙ୍କରେ ବିଧାୟକମାନଙ୍କର ଦରମା ଓ ଭତ୍ତା ଓଡ଼ିଶାଠାରୁ କମ୍ ରହିଛି ସେ ସଂପର୍କରେ ସେମାନେ କୌଣସି ତଥ୍ୟ ପ୍ରଦାନ କରିନାହାନ୍ତି।ଏନେଇ  ଏକ ରିପୋର୍ଟ ଦାଖଲ କରିବା ନିମନ୍ତେ ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି।

ତେବେ ଏନେଇ ଅନେକ ବିଧାୟକ କହିଛନ୍ତି ସରକାରୀ କର୍ମଚାରୀଙ୍କ ଦରମା ବେତନ କମିଶନରଙ୍କ ଦ୍ୱାରା ବୃଦ୍ଧି ହେଉଥିବା ବେଳେ ଆମର କାଁହିଁକି ଦରମା ଓ ପେନସନ ବୃଦ୍ଧି କରାଯାଉନାହିଁ |ତେବେ ସମ୍ବିଧାନ ଅନୁସାରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟରେ ଶାସକଦଳ ଅର୍ଥାତ ମୁଖ୍ୟମନ୍ତ୍ରୀ ହିଁ  ଚାହିଁଲେ  ସାଂସଦ ବା ବିଧାୟକମାନଙ୍କର ଦରମା ବୃଦ୍ଧି ହୋଇପାରିବ |ସ୍ୱାଧୀନତା ସମୟର କଥା ଯଦି କହିବା ସେତେବେଳେ ଅନେକ ସଂସଦ ଓ ବିଧାୟକ ବିନା ଦରମାରେ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିଲେ |ତେବେ ଏନେଇ ସରକାର ଚିନ୍ତା କଲେ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ସଂସଦ ଓ ବିଧାୟକ ମାନଙ୍କୁ ତେବେ ସେମାନଙ୍କ ଲାଗି ଅନେକ ସୁବିଧା ସୁଯୋଗ ଯୋଗାଇ ଦିଆଗଲା |

ତେବେ କିଛି ବର୍ଷ ପରେ ସାଂସଦ ଓ ବିଧାୟକମାନଙ୍କର କାର୍ଯ୍ୟକଳାପ ଓ ଆଚରଣରେ ଯେଉଁ ପରିବର୍ତ୍ତନ ହେଲା ସେଥିରେ ଜଣେ ଥରେ ବା ଦୁଇଥର ସାଂସଦ କିମ୍ବା ବିଧାୟକ ହୋଇଗଲେ ସେମାନଙ୍କର ଆର୍ଥିକ ପରିସ୍ଥିତି ପୂରାପୂରି ବଦଳିଗଲା। ପରେ ସମୟ ଗଡ଼ିବା ସହିତ ଦେଶର ଆର୍ଥିକ ଅବସ୍ଥାରେ ଯେଉଁ ପରିବର୍ତ୍ତନ ହେଲା ସେଥିରେ ଅନ୍ୟ ସାଧାରଣ ଲୋକଙ୍କ ଅପେକ୍ଷା ସାଂସଦ ଓ ବିଧାୟକମାନଙ୍କର ଆର୍ଥିକ ଅବସ୍ଥା ଓ ସମ୍ପତ୍ତି ବଢ଼ି ବଢ଼ି ଚାଲିଲା।ବର୍ତମାନ ରାଜ୍ୟରେ ଗରିବ ଶ୍ରେଣୀର ଲୋକ ମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତା ,ବିଧବା ଭତା ଓ ଭିନକ୍ଷମ ଭତା ୫୦୦ ଟଙ୍କା ଥିବାବେଳେ ଏହି ବର୍ଗର ଲୋକମାନେ ଚଳିବା କେତେ କଷ୍ଟକର | କେବଳ ସେତିକି ନୁହେଁ ଆଜିକାଲି ମହଙ୍ଗା ଯୁଗରେ ଏତିକିରେ ଚଳିବା ବହୁତ କଷ୍ଟ ସାଧ୍ୟ ହୋଇପଡୁଛି | ଆଉ ଗରିବ ଶ୍ରେଣୀର ଲୋକେ ଗରିବ ହୋଇ ରହିଯାଉଛନ୍ତି |

 ତାହା ଜାଣିସୁଦ୍ଧା ସେମାନଙ୍କର ଭତ୍ତା ବୃଦ୍ଧି ପାଇଁ ବିଧାନସଭାରେ ବିଧାୟକମାନେ ସମୂହ ଭାବେ ଦାବି ଉପସ୍ଥାପିତ କରୁନାହାନ୍ତି। କିନ୍ତୁ ନିଜର ଦରମା ବୃଦ୍ଧି  ପ୍ରସଙ୍ଗ ଉଠାଇ ଲୋକମାନଙ୍କ ପ୍ରତି ସେମାନଙ୍କ ସମବେଦନା ନାହିଁ ବୋଲି ପ୍ରମାଣିତ ହେଉଛି। ବାସ୍ତବରେ ଦେଖିବାକୁ ଗଲେ ଦେଶର ସବୁ ରାଜନୈତିକ ଦଳ ଓ ସରକାରମାନେ ରାଜ୍ୟରେ ବିଦ୍ୟୁତ୍ ବ୍ୟବହାରରେ ସାଧାରଣ ବର୍ଗର ଲୋକଙ୍କ ପାଇଁ ଓ ଚାଷୀମାନଙ୍କ ପାଇଁ ମାଗଣା ବିଦ୍ୟୁତ୍ ପ୍ରଦାନ, ମାଗଣା ପାନୀୟ ଜଳ, ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀଙ୍କୁ ସାହାଯ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟରେ କେତେ ମାଗଣା ଦିଆଯାଇପାରିବ ସେଥିପାଇଁ ପ୍ରତିଯୋଗିତା ଚାଲିଛି।ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଁ ଦାବି ହେବା ଏକ ଲଜ୍ଜାଜନକ ଅବସ୍ଥା। ଅନେକ ବିଧାୟକ ମାନେ ନିଜର ଦରମାରେ ଓ ସାଧାରଲୋକଙ୍କ ପଇସା ନେଇ ମଧ୍ୟ କୋଟି କୋଟି ସମ୍ପତ୍ତିର ମାଲିକ ହୋଇଛନ୍ତି |ତେଣୁ ବିଧାନସଭାର କମିଟି ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ସମ୍ପତ୍ତି ସଂପର୍କରେ ଠିକ୍ ଭାବେ ଯାଂଚକରିବା ପରେ ହିଁ ଦରମା ଓ ଭତ୍ତା ବୃଦ୍ଧି କଥା ଚିନ୍ତାକରନ୍ତୁ। ସାଧାରଣ ଲୋକଙ୍କ ବଦଳରେ ନିଜ ଚିନ୍ତା କରୁଛନ୍ତି ବିଧାୟକ ମାନେ ବୋଲି ଆଲୋଚନାର ପ୍ରସଙ୍ଗ ପାଲଟିଛି |