ନବରଙ୍ଗପୁର/ମନୋଜ ଦାଶ: ଦଶାହ ଭୋଜି ଖାଇ ଶତାଧିକ ଅସୁସ୍ଥ, ଗ୍ରାମରେ ଡାକ୍ତରି ଦଳଙ୍କ ଚିକିତ୍ସା ଜାରି । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ୟୁଭି-୧୩ ଜାମରୁଣ୍ଡା ଏବଂ ପଡ଼େଇଗୁଡ଼ା ଗ୍ରାମରେ ।
ପ୍ରାପ୍ତ ସୂଚନା ମୁତାବକ୍ ଉମରକୋଟ ବ୍ଲକ୍ ୟୁଭି-୧୩ ଜାମରୁଣ୍ଡା ଗ୍ରାମର ଏକ ଦଶାହ ଭୋଜିରେ ୟୁଭି-୧୩ ଜାମରୁଣ୍ଡା ଏବଂ ପଡ଼େଇଗୁଡ଼ା ଗ୍ରାମର ଶତାଧିକ ଲୋକ ଶନିବାର ଅପରାହ୍ନରେ ଯୋଗ ଦେବା ସହ ଭୋଜି ଖାଇ ଘରକୁ ଫେରିଥିଲେ । ରବିବାର ସକାଳୁ ଉଭୟ ଗ୍ରାମର କେତେ ଲୋକଙ୍କୁ ବାରମ୍ବାର ଝାଡ଼ା ହୋଇଥିଲା ଏବଂ ଅପରାହ୍ନରେ ଶତାଧିକ ଲୋକଙ୍କୁ ଏକା ସାଙ୍ଗରେ ଝାଡ଼ା ହେବାରୁ ସଙ୍ଗେ ସଙ୍ଗେ ଗ୍ରାମର ଅଙ୍ଗନଓ୍ବାଡି କର୍ମୀ ଓ ଆଶା କର୍ମୀ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅଭୟ କୁମାର ଦେ ନିଜ ଟିମ୍ ସହ ଉକ୍ତ ଗ୍ରାମରେ ପହଂଚି ଚିକିତ୍ସା ଆରମ୍ଭ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।
ଉକ୍ତ ଭୋଜି ଖାଇ ୟୁଭି-୧୩ ଜାମରୁଣ୍ଡା ଗ୍ରାମର ୭୫ ଜଣ ଏବଂ ଜମରୁଣ୍ଡା ଗ୍ରାମ ନିକଟସ୍ତ ପଡ଼େଇଗୁଡ଼ା ଗ୍ରାମର ୪୨ ଜଣ ଝାଡ଼ାରେ ଆକ୍ରାନ୍ତ ହୋଇଥିବାବେଳେ ଡାକ୍ତରି ଟିମ୍ ଗତକାଲି ରାତ୍ର ଠାରୁ ଉକ୍ତ ଗ୍ରାମର କମ୍ୟୁନିଟି ସେଣ୍ଟର ଠାରେ କ୍ୟାମ୍ପ୍ କରି ଲୋକଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି । ଚିକିତ୍ସା ପରେ ବହୁ ଲୋକ ସୁସ୍ଥ ହୋଇଥିବାବେଳେ କେହି ମଧ୍ୟ ଗୁରୁତର ନ ଥିବା ଏବଂ ବର୍ତ୍ତମାନ ମଧ୍ୟ ୩୦ରୁ ଅଧିକ ଲୋକଙ୍କ ଚିକିତ୍ସା ଘରେ ଜାରି ରହିଥିବାବେଳେ ଆକ୍ରାନ୍ତ ହୋଇଥିବା ଲୋକଙ୍କର ସାମ୍ପୁଲ ଗ୍ରହଣ କରି ପରୀକ୍ଷା କରିଲାପରେ ଝାଡାରେ ଆକ୍ରାନ୍ତ ହୋଇଥିବା ମୁଖ୍ୟ କାରଣ ଜଣାପଡିବ ବୋଲି ପରିଦର୍ଶନରେ ଆସିଥିବା DPHO ମଳୟ ତ୍ରିପାଠୀ ପ୍ରକାଶ କରିଛନ୍ତି ।