ପୁରୀ ( ଜୟନ୍ତ କୁମାର ସେଠୀ): ପ୍ରତିଟି ପିଲା ମଧ୍ୟରେ ପ୍ରତିଭା ଲୁଚି ରହିଛି। ସେମାନଙ୍କ ଅନ୍ତର୍ନିହିତ ଗୁଣକୁ ଚିହ୍ନି ବିକଶିତ କରାଯାଇ ପାରିଲେ ତାହା ରାଜ୍ୟ ଓ ଦେଶ ପାଇଁ ସମ୍ବଳ ହୋଇ ପାରିବ। ଏଥିରେ ପୁଅ ଓ ଝିଅ ମଧ୍ୟ ରେ କୌଣସି ପ୍ରଭେଦ ନାହିଁ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ। ମଗଂଳବାର ପୂର୍ବାହ୍ନରେ ପୁରୀ ମହିଳା ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓ ଏହାକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ପୁରାଣ ଓ ଇତିହାସ ର ଉଦାହରଣ ଦେଇ ନାରୀର ବିକଳ୍ପ ନାହିଁ ବୋଲି କହିଥିଲେ।ସାମ୍ପ୍ରତିକ ସମୟରେ ଶିଶୁ କନ୍ୟା ମାନଙ୍କ ପ୍ରତି ଅବହେଳା ଓ ନିର୍ୟ୍ୟାତନା ଦୁଖଦାୟକ। ଏହାକୁ ପ୍ରତିହତ କରିବାକୁ ସେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ କହିଛନ୍ତି ପ୍ରତିଟି କନ୍ୟା ଜଣେ ଜଣେ ଦେବ କନ୍ୟା। ନିଜର ଲୁକ୍କାୟିତ ଶକ୍ତି ଓ ପ୍ରତିଭାକୁ ପ୍ରତିପାଦିତ କରି ନିଜର ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ ନିଜ ପରିଚୟ ସୃଷ୍ଟି କରିବାକୁ ସେ ଆହ୍ବାନ ଦେଇଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ଜିଲ୍ଲା ରେ ଶିଶୁ ମାନଙ୍କ ସ୍ଥିତି, ସେମାନଙ୍କ ଭବିଷ୍ୟତ, ସୁରକ୍ଷା ପାଇଁ ପଦକ୍ଷେପ, ଟାସ୍କଫୋର୍ସ ଗଠନ ଇତ୍ୟାଦି ସମ୍ପର୍କରେ ବିଷଦ ସୂଚନା ପ୍ରଦାନ କରିଥିଲେ। ପୁରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିଶ୍ୱନାଥ ଦାସ,ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ଶ୍ରୀ ଜୟ ଶଙ୍କର ଜୋଶୀ, ସ୍ୱଛାସେବୀ ସଂଗଠନ ସମ୍ପର୍କ ର ସମ୍ପାଦକ ଶ୍ରୀ ସୌମେନ୍ଦ୍ର ଦାସ,ଯୁଗ୍ମ ସମ୍ପାଦକ ରୋଜାଲିନ ମିଶ୍ର ପ୍ରମୁଖ ଶିଶୁ କନ୍ୟା ମାନଙ୍କ ସାମାଜିକ ସ୍ଥିତି, ଆବଶ୍ୟକତା, ଭବିଷ୍ୟତ ଓ ସାମାଜିକ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷାବିତ ଶ୍ରୀ ସୁକାନ୍ତ କୁମାର ମହାନ୍ତି କାର୍ୟ୍ୟକ୍ରମ ପରିଚାଳନା କରିବା ସହ ଝିଅ ମାନଙ୍କ ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ପରେ କୃତି ପ୍ରତିଯୋଗୀ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।