ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବବୃହତ୍ତମ ରାଇରଙ୍ଗପୁର ଉପଖଣ୍ଡ । ଏହାର ୭୦ ପ୍ରତିଶତ ଆଦିବାସୀ ଅଧ୍ୟଷିତ ଅଞ୍ଚଳ । ଆଦିବାସୀ ଅଞ୍ଚଳର ବିକାଶ, ଆଦିବାସୀଙ୍କ ଆର୍ଥିକ ଓ ସ୍ୱାବଲମ୍ବନଶୀଳ ପାଇଁ ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁରଠାରେ ସରକାର ଆଦିବାସୀ ସମନ୍ୱିତ ପ୍ରକଳ୍ପ କାର୍ଯ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ଏହି କାର୍ଯ୍ୟାଳୟରେ ୭ଟି ବ୍ଲକ ବିଶୋଇ, ବିଜାତଳା, ରାଇରଙ୍ଗପୁର, କୁସୁମି, ଜାମଦା, ବହଳଦା ଓ ତିରିଂ ବ୍ଲକ ଅବସ୍ଥିତ । ଏହି ଆଇଟିଡିଏ କାର୍ଯ୍ୟାଳୟରେ ପ୍ରକଳ୍ପ ପ୍ରଶାସକ ଭାବେ ଅନନ୍ତ ନାରାୟଣ ସିଂ ଲାଗୁରୀ ଦାୟିତ୍ୱରେ ଥିଲେ । ଗତ ମାର୍ଚ୍ଚ ୨୦୨୦ ଶେଷ ସପ୍ତାହରେ ପଦୋନ୍ନତି ପାଇ ବଲାଙ୍ଗିର ଜିଲ୍ଲାକୁ ବଦଳି ହୋଇଯାଇଛନ୍ତି । ହେଲେ ଏହି ଦାୟିତ୍ୱପୂର୍ଣ ପଦବୀଟି ଦୀର୍ଘ ଦେଢ ବର୍ଷ ହେଲା ଖାଲି ପଡିଛି । ଯାହାଫଳରେ ଜଣେ ସ୍ଥାୟୀ ଅଧିକାରୀ ନ ଥିବାରୁ ଆଇଟିଡିଏ କାର୍ଯ୍ୟାଳୟ ନାହିଁ ନାହିଁରେ ଚାଲିଛି । ସ୍ଥାୟୀ ଅଧିକାରୀ ନ ଥିବାରୁ ଆଦିବାସୀଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ବହୁତ ମନ୍ଥର ଗତିରେ ଚାଲିଛି । ଏହାକୁ ଆଦିବାସୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ବୃଦ୍ଧି ପାଉଛି । ତେଣୁ ତୁରନ୍ତଏହି ପଦବୀ ପୂରଣ ପାଇଁ ସାଧାରଣରେ ଦାବି ହେଉଛି । ।