୧୪ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ

0

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ନବ ନିର୍ବାଚିତ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସେ ୨୦୧୯ରୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ପଶ୍ଚିମବଙ୍ଗର ରାଜ୍ୟପାଳ ଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ବିବାଦ କାରଣରୁ ଚର୍ଚ୍ଚାରେ ରହିଥିଲେ। ପୂର୍ବତନ ଉପରାଷ୍ଟ୍ରପତି ଭୈରବ ସିଂ ଶେଖାୱାତ ପ୍ରଥମ ଥର ଲାଗି ଉପରାଷ୍ଟ୍ରପତି ଭାବେ ରାଜସ୍ଥାନରୁ ପ୍ରତିନିଧିତ୍ୱ କରିଥିଲେ। ଶ୍ରୀ ଧନଖଡ ଦ୍ୱିତୀୟ ଥର ଲାଗି ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ୧୯୯୭ ପରଠାରୁ ଅନୁଷ୍ଠିତ ୬ଟି ଉପରାଷ୍ଟ୍ରପତି ନିର୍ବାଚନରେ ସର୍ବାଧିକ ଭୋଟ ଧନଖଡ ପାଇଥିଲେ। ସେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରୋଟ ଆଲଭାଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ। ଶ୍ରୀ ଧନଖଡ ରାଜସ୍ଥାନର ଝୁନଝୁନ ଜିଲ୍ଲାରରେ ଏକ କୃଷି ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ନିଜର ସମସ୍ତ ଶିକ୍ଷା ସମାପ୍ତ କରିବା ପରେ ଆଇନଜୀବୀ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପ୍ରଥମେ ରାଜସ୍ଥାନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଓକିଲ ଭାବେ କାର୍ଯ୍ୟ କରିଥିଲେ। ୭୧ ବର୍ଷିୟ ଶ୍ରୀ ଧନଖଡ ୧୯୮୯ ପ୍ରଥମେ ଜନତା ଦଳ ଟିକେଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ମନ୍ତ୍ରୀମଣ୍ଡଳରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ୨୦୦୩ରେ ବିଜେପିରେ ଯୋଗଦେଇଥିଲେ। ୨୦୧୯ରେ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ଜୁଲାଇରେ ତାଙ୍କ ନାମ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ।