ଅଗ୍ନି ସୁରୂପିଣି ମା’ ହିଙ୍ଗୁଳାଙ୍କ ଯନ୍ତଳା ପର୍ବ ଧୁମଧାମରେ ପାଳିତ

0

ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା ତାଳଚେରର ଅଧୃଷ୍ଠାତ୍ରୀ ଦେବୀ ତଥା ଅଗ୍ନି ସ୍ୱରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯନ୍ତଳା ପର୍ବ ଯଥା ରୀତି ନୀତି ପାଳିତ ହୋଇଯାଇଛି । ଏହି ଉତ୍ସବ ପାଳନ ଅବସରରେ ଦେହୁରୀଙ୍କ ଘରୁ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ କୁଟେଇଶୁଣି ମଣ୍ଡପକୁ ଅଣାଯାଇଥିଲା। ସେଠାରେ ମୁଖ୍ୟ ପୂଜକ ମା’ଙ୍କ ଚଳନ୍ତି ପ୍ରତିମାକୁ ପୂଜାର୍ଚ୍ଚନା କରିଥିଲେ ।

ପରମ୍ପରା ଅନୁଯାୟୀ, ପୂଜାର୍ଚ୍ଚନା ପୂର୍ବରୁ ଡାକୁଆମାନେ ପତିଆରଙ୍କୁ ନିମନ୍ତ୍ରଣ କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ । ସେଠାରେ ତାଙ୍କୁ ତିନି ଡାକ ଦେଇ ଡକା ଯିବା ପରେ ସେ ଘରୁ ବାହାରି ପାଖ ପୋଖରୀରେ ସ୍ନାନ କରିଥିଲେ । ସ୍ନାନ ପରେ କୁଟେଇଶୁଣି ମଣ୍ଡପକୁ ଯାଇ ମୁଖ୍ୟ ଦେହୁରୀଙ୍କୁ ରାଜାଙ୍କ ପ୍ରଦତ୍ତ ନୂତନ ବସ୍ତ୍ର ପ୍ରଦାନ କରାଯାଇଥାଏ । ବସ୍ତ୍ର ପରିଧାନ ପରେ ତାଙ୍କୁ ଦେବୀ ରୂପରେ ଷୋଡ଼ଶୋପଚାର ବିଧୂ ଅନୁଯାୟୀ ଝୁଣା, ଧୂପ ଦେଇ ପୂଜା କରାଯାଇଥାଏ । ଏହି ପୂଜାରେ ମା’ ହିଙ୍ଗୁଳାଙ୍କ ମୁଖ୍ୟ ପୂଜକ ହୃଦାନନ୍ଦ ଦେହୁରୀ, କିଶୋର ଚନ୍ଦ୍ର ଦେହୁରୀ ଓ ଟଙ୍କଧର ଦେହୁରୀ ସହଯୋଗ କରିଥିଲେ ।

ତାଳଚେର ରାଜାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ସିଂହ, ଟ୍ରଷ୍ଟ ବୋର୍ଡସଦସ୍ୟ ଜଗନ୍ ମୋହନ ଗଡନାୟକ, ଦିଲେଶ୍ବର ସାମଲ, କିଶୋର ମହାନ୍ତି, ବାୟା ବାରିକ, ଟିହୁଙ୍କୁଳି ବାରିକଙ୍କ ସମେତ ମା’ ହିଙ୍ଗୁଳାଙ୍କ ସେବାୟତଙ୍କ ସହାୟତାରେ ମାଙ୍କ ପୂଜା କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା । ପ୍ରକାଶ ଥାଉକି, ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।