ବଲାଙ୍ଗୀର: ରେଳ ମନ୍ତ୍ରଣାଳୟର ଅବହେଳା ଲାଗି ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ଖର୍ଚ୍ଚ ବହୁଳ ପ୍ରକଳ୍ପ ଭାବେ ପରିଗଣିତ ହୋଇଛି। ସୂଚନା ଅନୁସାରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ସମ୍ପୃକ୍ତ ପ୍ରକଳ୍ପ ଲାଗି ପ୍ରତିବର୍ଷ ବଜେଟରେ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି। ରେଳ ମନ୍ତ୍ରୀ ଓଡି଼ଶାରୁ ପ୍ରତିନିଧିତ୍ୱ କରିବା ସତ୍ତେ୍ୱ ମଧ୍ୟ ସମ୍ପୃକ୍ତ ପ୍ରକଳ୍ପ ଫେଲ ମାରିଥିବା ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛନ୍ତି। ଶ୍ରୀ ପଣ୍ଡାଙ୍କ କହିବା ଅନୁସାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ପୃକ୍ତ ରେଳ ପ୍ରକଳ୍ପର ରୁଟ ନିର୍ମାଣ ଲାଗି ୨୦୨୧-୨୨ ଆର୍ଥିକ ବର୍ଷରେ ୧,୦୫୦ କୋଟି ଟଙ୍କା ଓ ୨୦୨୨-୨୩ ଆର୍ଥିକ ବଜେଟରେ ୮୯୧ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। ହେଲେ ସୂଚନା ଅଧିକାର ତଥ୍ୟରେ ଅଲଗା କଥା କହୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୧,୦୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲେ ସୁଦ୍ଧା ରୁଟ ନିର୍ମାଣ ଲାଗି ୨୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସମ୍ପୃକ୍ତ ରେଳ ପ୍ରକଳ୍ପ ଲାଗି ୩,୭୯୧ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ୧,୬୭୩.୯୭ କୋଟି ଟଙ୍କା ଖର୍ତ୍ତ କରାଯାଇଥିବା ସୂଚନା ଅଧିକାର କର୍ମୀ ଶ୍ରୀ ପଣ୍ଡା କହିଛନ୍ତି। କଳାହାଣ୍ଡି ଜିଲ୍ଲାର ନର୍ଲା ଠାରେ ରେଳ ଇଞ୍ଜିନ ମରାମତି କାରଖାନା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ହେଲେ ଏହି ପ୍ରକଳ୍ପ ପାଇଁ ବର୍ତ୍ତମାନ ସୁଦ୍ଧା ୩୧ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି।
୨୦୨୨-୨୩ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୯୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲେ ସୁଦ୍ଧା ୨୦୨୨ ଜୁଲାଇ ସୁଦ୍ଧା ୪୯.୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ସମ୍ପୃକ୍ତ ରେଳ ପ୍ରକଳ୍ପ ଲାଗି ଗତ ୨୦ ବର୍ଷ ମଧ୍ୟରେ ୧,୯୪୧ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡି ରହିଛି। ଗତ ୨୦୦୩-୦୪ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥକ ବର୍ଷର ଜୁଲାଇ ମାସ ଅର୍ଥାତ ଦୀର୍ଘ ୨୦ ବର୍ଷ ମଧ୍ୟରେ ୧,୬୭୩.୯୭ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ସୂଚନା ଅଧିକାର ତଥ୍ୟକୁ ଦେଖିଲେ କେନ୍ଦ୍ର ସରକାର ଯେତିକି ଅର୍ଥ ବ୍ୟୟ ବରାଦ କରୁଛନ୍ତି, ସେତିକି ଅର୍ଥ ରେଳ ମନ୍ତ୍ରଣାଳୟ ପକ୍ଷରୁ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଲାଗି ଖର୍ଚ୍ଚ ହେଉନାହିଁ। ଏହାଛଡା ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ଅର୍ଥାତ ଦୀର୍ଘ ୭ ବର୍ଷ ମଧ୍ୟରେ ୩୦୩.୬୩ କୋଟି ଟଙ୍କା ବ୍ୟୟ ବରାଦ କରିସାରିଛନ୍ତି। ରେଳ ପ୍ରକଳ୍ପର ତ୍ୱରାନ୍ୱିତ ଲାଗି ଜମି ଅଧିଗ୍ରହଣ ସମସ୍ୟା ବଡ ସମସ୍ୟା ଭାବେ ଉଭା ହୋଇଛି ।
ସମ୍ପୃକ୍ତ ରେଳ ପ୍ରକଳ୍ପ ମଧ୍ୟରେ ସରକାରୀ, ବେସରକାରୀ, ଜଙ୍ଗଲ ଜମି ଲାଗି ପ୍ରକଳ୍ପଟି ମନ୍ଥର ଗତିରେ ଚାଲିଛି । ତେବେ ସମ୍ପୃକ୍ତ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଲାଗି ଦୀର୍ଘ ୩୦ ବର୍ଷ ତଳୁ ମଞ୍ଜୁରୀ ମିଳିସାରିଛି । ଏଥିପାଇଁ ୧,୬୭୪.୩୭ ସରକାରୀ ଜମି ଏବଂ ୧, ୮୪୪.୪୦ ଜଙ୍ଗଲ ଅଧିଗ୍ରହଣ ଲାଗି ଅନୁମତି ମିଳିଥିଲା । ହେଲେ ସୂଚନା ଅଧିକାର ତଥ୍ୟରେ ପ୍ରଥମ ପର୍ଯ୍ୟାରେ ୨୦୫.୦୪ ଜଙ୍ଗଲ ଜମି ଅଧିଗ୍ରହଣ ସହ ସରକାରଙ୍କ ଅନୁମତି ମିଳିଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୭୦.୦୩ ଜମି ଅଧିଗ୍ରହଣ ସହ ସରକାରଙ୍କ ଅନୁମତି ମିଳିଥିଲା । ଅକ୍ଟୋବରରେ ବିଛୁପାଲି ଠାରୁ ଝାରତରଭା ଷ୍ଟେସନ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଟ୍ରେନ ଚଳାଚଳ କରିବ ବୋଲି ରେଳ ମନ୍ତ୍ରଣାଳୟ କହିଛି । ବିଛୁପାଲି ଠାରୁ ଝାରତରଭାର ଦୂରତା ୧୦ କିମି ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୫ ୨୦୧୯ରେ ବିଛୁପାଲି ଷ୍ଟେସନରେ ଟ୍ରେନ ଯାତ୍ରା ଲାଗି ଉଦଘାଟନ କରିଥିଲେ । ରେଳ ପ୍ରକଳ୍ପଟି ଯୁଦ୍ଧକାଳୀନ ଭିତ୍ତିରେ ଚାଲିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ନିର୍ଦ୍ଧାରିତ ସମୟରେ ରେଳ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇନଥିବା ଦୁଃଖ ଓ ପରିତାପର ବିଷୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।