ସାରସ୍ୱତ ସାଧକ ବିଧାୟକ ବିଷ୍ଣୁ, କବିତା ଲେଖି ରାଷ୍ଟ୍ରପତିଙ୍କୁ ଜଣାଇଥିଲେ ଶୁଭେଚ୍ଛା

0

ଭୁବନେଶ୍ୱର : ଦିବଂଗତ ବିଧାୟକ ବିଷ୍ଣୁ ସେଠୀ ଜଣେ ସାରସ୍ବତ ସାଧକ ଭାବରେ ପରିଚିତ । ସେ ଏକାଧାରରେ ଜଣେ ରାଜନେତା, କବି ଓ ସାମ୍ବାଦିକ । ବିଧାନସଭା ହେଉ ଅବା ବାହାରେ ସେ ସ୍ବରଚିତ ଗୀତ ଓ କବିତ ପାଠ କରି ଜନାଦୃତ ହୋଇଛନ୍ତି । କବିତା ଓ ଗୀତ ମାଧ୍ୟମରେ ମନୋରଞ୍ଜନ କରିବା ସହ ସରକାରଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି । ତେବେ ତାଙ୍କର ଶେଷ କବିତା ରହିଥିଲା ଦ୍ରୌପଦୀ । ଯାହାକୁ ସେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ତଥା ଓଡ଼ିଶାର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବା ଉଦ୍ଦେଶ୍ୟରେ ଲେଖିଥିଲେ ।

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ରାଇସିନ ହିଲ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଥିଲେ । ସେହି କମିଟିରେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ମଧ୍ୟ ଥିଲେ । ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହ କମିଟିର ସଦସ୍ୟ ମାନେ ବିଭିନ୍ନ ଉପହାର ଦେଇଥିଲେ । କିନ୍ତୁ ବିଧାୟକ ବିଷ୍ଣୁ ସେଠୀ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପାଇଁ ଏକ କବିତା ଉପହାର ଦେଇଥିଲେ । ଯାହାର ଶୀର୍ଷକ ଥିଲା ‘ଦ୍ରୌପଦୀ’ । ଏହା ବୋଧେ ବିଷ୍ଣୁଙ୍କର ଶେଷ କବିତା ଯାହା ଲୋକଲୋଚନକୁ ଆସିଥିଲା ।

ମହାଭାରତ ସମୟରେ ପାଣ୍ଡବ ମାନଙ୍କ ସହ ଦ୍ରୌପଦୀ ଅଜ୍ଞାତବାସରେ ଥିବା ସମୟରେ ବର୍ତ୍ତମାନର ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ରହିଥିଲେ ସେହି ଘଟଣା ସହ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷ ଜୀବନକୁ ତୁଳନା କରି କବିତା ମାଧ୍ୟମରେ ଉପସ୍ଥାପନ କରିଥିଲେ । ଏହି କବିତାଟିକୁ ମଧ୍ୟ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଆବୃତ୍ତି କରିଥିଲେ । ଯାହା ରାଷ୍ଟ୍ରପତିଙ୍କ ପାଇଁ ଶ୍ରେଷ୍ଠ ଉପହାର ବୋଲି କମିଟିର ସଦସ୍ୟ ମାନେ କହିଥିଲେ ।