ଭୁବନେଶ୍ୱର: “ଥିଲେ ଦିଅ, ନଥିଲେ ନିଅ” ଆନ୍ଦୋଳନର ପ୍ରବର୍ତକ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକନେତା ଶ୍ରୀଯୁକ୍ତ ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଳିତ ବର୍ଷ ପୁରୁଣା ବସ୍ତ୍ର ଏବଂ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ ବିିର୍ସା ମୁଣ୍ଡା ବସ୍ତି ଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି । ବସ୍ତିର ସମସ୍ତ ପରିବାରକୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା । କିଛି ବର୍ଷ ହେବ ଏହି କାର୍ୟ୍ୟକ୍ରମ ମାଧ୍ୟମରେ ପୁରୁଣା ଓ ନୂତନ ବସ୍ତ୍ର ସଂଗ୍ରହ କରାଯାଇ ଗରିବ ଲୋକମାନଙ୍କ ମଧ୍ୟରେ ବଂଟନ କରାଯାଉଅଛି । ଲୋକମାନଙ୍କର ଅଭୁତପୂର୍ବ ସମର୍ଥନ ଦେଖି ଏହି କାର୍ୟ୍ୟକ୍ରମକୁ ବର୍ଷସାରା ଚଳାଇବା ପାଇଁ ଉଡ୍ର ପରିବାର ପକ୍ଷରୁ ନିଷ୍ପତି ନିଆଯାଇଛି ବୋଲି ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ ଘୋଷଣା କରିଥିଲେ । ଆଜିଠାରୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ପାରାଦ୍ୱୀପ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୁମ୍ବାଇ, କୋଲକତା, ପୁନେ, ହାଇଦ୍ରାବାଦ ଠାରେ ‘ଉଡ୍ର’ ପରିବାରର ସଦସ୍ୟମାନଙ୍କ ଦ୍ୱାରା ଏହି କାର୍ୟ୍ୟକ୍ରମର ଶୁଭାରମ୍ବ ହୋଇଅଛି । ଯେଉଁମାନଙ୍କର ପିନ୍ଧିବାକୁ ବସ୍ତ୍ର ଖଣ୍ଡେ ନାହିଁ ସେମାନଙ୍କ ପାଖରେ ଖଣ୍ଡେ ବସ୍ତ୍ର ପହଂଚାଇ ସେମାନଙ୍କ ମୁହଁରେ ହସ ଫୁଟାଇବା ଏହି କାର୍ୟ୍ୟକ୍ରମର ମୂଳ ଲକ୍ଷ୍ୟ । ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ଏହି କାର୍ୟ୍ୟକ୍ରମ ମାଧ୍ୟମରେ ନୂତନ ଓ ପୁରୁଣା ବସ୍ତ୍ର ସଂଗ୍ରହ କରି ବିଭିନ୍ନ ଗରିବ ଶ୍ରେଣୀର ଲୋକମାନଙ୍କ ପାଖରେ ପହଂଚାଉଛି । ଯେଉଁମାନଙ୍କ ପାଖରେ ବଳକା ବସ୍ତ୍ର ଅଛି ସେମାନେ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ଏହି ଅଭିଯାନରେ ଦେଇପାରିବେ । ଏହା ମାଧ୍ୟମରେ ଆପଣ ଆପଣଙ୍କ ପୁରୁଣା ବସ୍ତ୍ରକୁ ଦିଅନ୍ତୁ ଏକ ନୂତନ ଜୀବନ । ଏହି ମହତ କାର୍ୟ୍ୟରେ ସାମିଲ ହେବାକୁ ସମସ୍ତଙ୍କୁ ‘ଉଡ୍ର’ ପକ୍ଷରୁ ନିବେଦନ କରାଯାଇଅଛି । ଏହି ଶୁଭାରମ୍ଭ କାର୍ୟ୍ୟକ୍ରମରେ ଅତିଥି ଭାବେ ଭୁବନେଶ୍ୱର ମଧ୍ୟମର ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ମୋ ପରିବାରର ଅଧ୍ୟକ୍ଷ ପୂର୍ବତନ କମିଶନର ଅରୂପ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ଥିଲେ । ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ, ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ପ୍ୟାରିସ୍ ବେକରୀ ଆଉଟ୍ଲେଟ୍ର ସତ୍ୱଧିକାରୀ ବି.ଟି. ଭରଦ୍ୱାଜ, ସିନେ ତାରକା ସମରେଶ ରାଉତରାୟ, ବୁଲୁ, ଅଭିନେତ୍ରୀ ପୁନମ ମିଶ୍ର ଏବଂ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଦେବୀପ୍ରସାଦ ମଙ୍ଗରାଜ, ସତ୍ୟ ସୁମନ, ପବନ ପାତ୍ରୋ, କିଶୋର ଦାସ, ଭାଗ୍ୟଧର ସାମଲଙ୍କ ସମେତ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।