ଜୀବନ ଯାଉଛି ଜୀବିକା ମଧ୍ୟ ଯିବ

0

ବ୍ୟୁରୋ: ଯୁଦ୍ଧ ସବୁବେଳେ ବପଦ ହିଁ ଆଣିଥାଏ । ଏବେ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉଗ୍ର ରୂପ ନେଇଛି । କିବ୍ ଓ ଖାରକିବରେ କ୍ରମାଗତ ଆକ୍ରମଣ ଯୋଗୁଁ ସେଠାରେ ଥିବା ଡାକ୍ତରୀ ଛାତ୍ରଛାତ୍ରୀ ସ୍ୱଦେଶ ଫେରିବାକୁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ଏପରି ସ୍ଥଳେ ସେଠାରେ ମେଡିକାଲ ପଢୁଥିବା ୧୮ ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କ ଡିଗ୍ରୀ ପାଇବା ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି ।

ୟୁକ୍ରେନରୁ ପ୍ରାଣ ବଞ୍ଚାଇ ଫେରିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଯଦିଓ ଏଯାଏଁ କୌଣସି ବିକଳ୍ପ ନାହିଁ ହେଲେ ଯୁଦ୍ଧ ଶେଷ ହେବା ଯାଏଁ ଧୈର୍ଯ୍ୟ ଧରିବାକୁ  ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଏନଏମସିର ଅଧିକାରୀ । ଫରେନ୍ ମେଡିକାଲ ଗ୍ରାଜୁଏଟ୍ ପାଇଁ ନ୍ୟାସନାଲ ମେଡିକାଲ କମିଶନ୍(ଏନଏମସି) ଦ୍ୱାରା ଜାରି ହୋଇଥିବା ରେଗୁଲେସନ୍ ଅନୁଯାୟୀ, ଏମବିବିଏସ୍ କୋର୍ସ କରୁଥିବା ମଝିରେ କୌଣସି ବିଦେଶୀ ୟୁନିଭର୍ସିଟିରୁ ଭାରତୀୟ ୟୁନିଭର୍ସିଟିକୁ ଟ୍ରାନ୍ସଫର କରିହେବନି । କାରଣ ବିଦେଶୀ ଓ ଭାରତୀୟ ମେଡିକାଲ କୋର୍ସ ପାଇଁ ନାମଲେଖା ନିୟମ ସମ୍ପୂର୍ଣ୍ଣ ଭିନ୍ନ ।

ନାଁ ଲେଖାପାଇଁ ମାନଦଣ୍ଡ ମଧ୍ୟ ଅଲଗା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ୟୁକ୍ରେନରେ ହେଉ ବା ଅନ୍ୟ କୌଣସି ବିଦେଶୀ ମେଡିକାଲ କଲେଜରେ ହେଉ କୋର୍ସ ଶେଷ କରିବା ସହ ଦୁଇ ବର୍ଷର ଇଣ୍ଟର୍ଣ୍ଣସିପ୍ ଶେଷ ନକରିବା ଯାଏଁ ଭାରତରେ ପ୍ରାକ୍ଟିସ୍ କରିପାରିବେ ନାହିଁ । ୟୁକ୍ରେନରେ ଏମବିବିଏସ୍ କୋର୍ସ ୬ ବର୍ଷ ହୋଇଥିବାବେଳେ ସେଠାରେ ୨ ବର୍ଷର ଇଣ୍ଟର୍ଣ୍ଣସିପ୍ କରିବାକୁ ପଡିବ । ମୋଟ୍ ୮ ବର୍ଷ ଶେଷ ହେବା ପରେ ହିଁ ନିଜ ଦେଶକୁ ଫେରି ପ୍ରାକ୍ଟିସ୍ କରିପାରିବେ ।