ପୁଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ

0

(ଜ୍ୟୋତିରଞ୍ଜନ ଧର /ଅନୁଗୁଳ) : ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ଲୁଟପାଟ୍ କରି ଆତଙ୍କ ଖେଳାଇଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି ଅନୁଗୁଳ ଥାନା ପୁଲିସ୍। ଗ୍ୟାଙ୍ଗ୍ର ୩ ଜଣଙ୍କୁ ପୁଲିସ୍ ଗିରଫ କରିବା ସହ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ଲାପଟପ୍, ମୋବାଇଲ୍ ଆଦି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଏନ୍ଟିପିସି ଥାନା ଇଲାକା ଗଦାଶିଳା ଗ୍ରାମର ଜିତେନ୍ଦ୍ର ସିଙ୍ଗାରା(୨୬), ବଅଁରପାଳ ଥାନା ଇଲାକା ମହୀଧରପୁର ଗ୍ରାମର ଦିପେନ୍ଦ୍ର ବାରିକ(୩୫) ଓ ଛେଳିଆପଡ଼ା ଗ୍ରାମର ଅଭିଷେକ ସାହୁ(୨୦) ବୋଲି ଜଣାପଡ଼ିଛି। ଅଭିଯୁକ୍ତ ମାନେ ଏକାଧିକ ଚୋରି/ଲୁଟପାଟ ମାମଲାରେ ସମ୍ପୃକ୍ତ ଥିବା ବେଳେ ଲୁଟ୍ ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ ଅଭିଯୁକ୍ତ ଜିତେନ୍ଦ୍ର ସିଙ୍ଗିରା ବୋଲି ଜିଲ୍ଲା ପୁଲିସ ବୁଧବାର ରାତିରେ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛି। ଅଭିଯୁକ୍ତ ଜିତେନ୍ଦ୍ର ଏକାକି ଲୋକଙ୍କ ଘରେ ପଶି ଲୁଟପାଟ୍ କରେ। ଘର ମାଲିକ ନଥିବା ସୁଯୋଗ ନେଇ ଜିତେନ୍ଦ୍ର ଘରର ଝରକା ଭାଙ୍ଗି ଟଙ୍କା ସହ ସୁନା ଗହଣା, ଲାପଟପ୍ ଆଦି ଚୋରି କରିଥାଏ। ଏହି ଚୋରି ସାମଗ୍ରୀକୁ ସେ ରୀତିମତ ଭାବେ ଅଭିଯୁକ୍ତ ଦିପେନ୍ଦ୍ର ଓ ଅଭିଷେକକୁ ବିକ୍ରି କରିଥାଏ । ତେବେ ପୁଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ସୁନା ଚେନ୍, ୩ଟି ସୁନା ମୁଦି, ଗୋଟିଏ ନାକଫୁଲ, ଏକ ଏକ୍ସାଇଡ୍ ବ୍ୟାଟେରୀ, ଗୋଟିଏ କ୍ୟାମେରା, ଗୋଟିଏ ଏଲ୍ଇଡି ଟିଭି ସହିତ ୨ଟି ମନିଟର, ଲାପଟପ୍ ଜବତ କରିଛି। ମାମଲାର ତଦନ୍ତକାରୀ ଅଧିକାରୀ ଏସଆଇ ଏଡବ୍ଲ୍ୟୁ ଖାନ୍ ୩ ଅଭିଯୁକ୍ତଙ୍କୁ ବୁଧବାର ସନ୍ଧ୍ୟାରେ କୋର୍ଟଚାଲାଣ କରାଯାଇଛି। ପୁଲିସ୍ ସୂଚନା ମୁତାବକ, ଗତ ଜୁଲାଇ ୬ ତାରିଖ ରାତିରେ ତୁରଙ୍ଗର ଦୁର୍ଗାବିହାରର କ୍ରିଷ୍ଣା ପ୍ରସାଦ ମହାନ୍ତଙ୍କ ଘରୁ ଚୋରି ହୋଇଥିଲା। ଘନ ଘନ ବିଦ୍ୟୁତ୍ କାଟ ଯୋଗୁଁ ଶ୍ରୀ ମହାନ୍ତଙ୍କ ପରିବାର ଘରର କବାଟ ଖୋଲି ଶୋଇଥିଲେ। ଦୁର୍ବୃତ୍ତ ତାଙ୍କ ଘରୁ ୩୦ ହଜାର ଟଙ୍କା ସହ ପ୍ରାୟ ଲକ୍ଷେ ଟଙ୍କାର ସୁନା ଗହଣା ଚୋରି କରି ନେଇଥିଲା। ଏନେଇ ଶ୍ରୀ ମହାନ୍ତ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ । କରି ତଦନ୍ତ ଚଳାଇଥିବା ବେଳେ ୩ ଅଭିଯୁକ୍ତଙ୍କୁ କାବୁ କରିଛି। ଅନୁଗୁଳ ଥାନାର ଆଉ ୨ଟି ମାମଲାରେ ଜଡିତ ଥିବା ପୁଲିସର ମାରାଥନ ଜେରା ବେଳେ ଏହି ୩ ଅଭିଯୁକ୍ତ ସ୍ୱୀକାର କରିଛନ୍ତି ।