ନୂଆଦିଲ୍ଲୀ: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଲେ ମାଗୁଣି ଚରଣ କୁଅଁର । ତାଙ୍କୁ ଏହି ସମ୍ମାନ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି । କେନ୍ଦୁଝରର ବିଶିଷ୍ଟ କାଠି କଣ୍ଢେଇ କାରିଗର ମାଗୁଣି ଚରଣ କୁଅଁରଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ । ମାଗୁଣି ଚରଣ କୁଅଁର ଏକାଧାରରେ ଜଣେ କାଠି କଣ୍ଢେଇ ଶିଳ୍ପୀ, କାଠ, ମାଟି, ପଥର ଓ ସିମେଣ୍ଟର ନିଖୁଣ ମୂର୍ତ୍ତି କାରିଗର । ବିଗତ ୭୦ବର୍ଷ ହେବ ସେ ନିଜ ସାଧନା ଜାରି ରଖିଥିବା ବେଳେ, ୮୬ବର୍ଷ ବୟସରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । କେନ୍ଦୁଝର ପୁରୁଣା ସହରର ବୈଦ୍ୟରାଜ ସାହିର ମାଗୁଣି ଚରଣ କୁଅଁର । ପରିଚୟ ତାଙ୍କର କାଠି କଣ୍ଢେଇ କାରିଗର । କେବଳ ସେତିକି ନୁହେଁ କଣ୍ଢେଇ ଶିଳ୍ପି , କାଠ , ମାଟି, ଓ ପାଶାଣରେ ମଧ୍ୟ ସେ ନିଖୁଣ ଭାବେ କଳା କୃତି ତିଆରି କରିଥାନ୍ତି । ସେତେବେଳେ ଅର୍ଥର ଅଭାବରୁ ଆଖପାଖର କିଛି ଲୋକଙ୍କୁ ଏକାଠି କରି ସେ ଗାଁ ଗାଁ ବୁଲି କଣ୍ଢେଇ ନାଚ ଆରମ୍ଭ କରିଥିଲେ । ଏହାପରେ, ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ଜିଲ୍ଲା, ରାଜ୍ୟ ସହ, ଦେଶବିଦେଶରେ ମାଗୁଣିବାବୁଙ୍କ କଣ୍ଢେଇ ନୃତ୍ୟର ଆଦର ବଢିଚାଲିଛି । ୨୦୦୪ ମସିହାରେ ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଦତ୍ତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, ୨୦୧୩ ମସିହାରେ ଓଡିଶା ସରକାରଙ୍କ ସର୍ବୋଚ୍ଚ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୨୦୧୪ମସିହା ପାଇଁ ଓଡିଶା ନୃତ୍ୟ ଏକାଡେମୀ ପକ୍ଷରୁ ଗୁରୁ ମାଗୁଣି ଚରଣ କୁଅଁରଙ୍କୁ ରୁଚିବୁଦ୍ଧ ସମ୍ମାନରେ ସମ୍ମାନିତ କରାଯାଇଥିଲା ।