କଟକ : ମହାନଦୀ ଜଳପ୍ରବାହର ସ୍ଥିତି ଅନୁଧ୍ୟାନ ପାଇଁ ଆଜି କଟକ ଗସ୍ତରେ ଯିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ ।ପରେ ନରାଜ, ଜୋବ୍ରା ବ୍ୟାରେଜ ଦେଇ ବିରୁପା ବ୍ୟାରେଜ ପଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ସ୍ଥାନରେ ମହାନଦୀର ଜଳସ୍ଥିତି ଯାଞ୍ଚକରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ମୁଣ୍ଡଳୀ ଆନିକଟ ଓ ପୁରୀ ମୁଖ୍ୟ କେନାଲ ପରିଦର୍ଶନରେ ଯିବା ପରେ ମହାନଦୀରେ ମିଶିଥିବା ସାପୁଆ ନଦୀ ପରିଦର୍ଶନ କରିବେ ।
ଯାଞ୍ଚ ଅନୁସାରେ ଟ୍ରିବ୍ୟୁନାଲ ଏହି ଟିମ୍ ଯେଉଁ ରିପୋର୍ଟ ଦେବେ ତା ଉପରେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଆବଂଟନର ଭାଗ୍ୟ ନିର୍ଭର କରୁଛି । ଟ୍ରିବ୍ୟୁନାଲ ବୈଷୟିକ ଟିମ୍ ସଦସ୍ୟଙ୍କ ଏହି ଗସ୍ତକୁ ସଂପୂର୍ଣ୍ଣ କଟକଣା ଭିତରେ ରଖାଯାଇଛି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍.ଖାନଓ୍ବାଲିକର, ବିଚାରପତି ଡକ୍ଟର ରାଜିବ ରଞ୍ଜନ, ବିଚାରପତି ଇନ୍ଦ୍ରମିତ୍ କୌରଙ୍କୁ ନେଇ ଗଠିତ ଟିମ୍ ମହାନଦୀ ପ୍ରବାହିତ ହୋଇଥିବା ଓଡ଼ିଶାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଅନୁଧ୍ୟାନ କରୁଛନ୍ତି । ଜିଲ୍ଲାପାଳ ଏବଂ ଡିସିପିଙ୍କୁ ବାଦଦେଲେ ରାଜ୍ୟର ଅନ୍ୟ କୌଣସି ଅଧିକାରୀ ଏହି ଗସ୍ତରେ ସାମିଲ ହେବେ ନାହିଁ ।