ମହାପ୍ରଭୁଙ୍କର ଆଜି ଦୁର୍ଲଭ ପଦ୍ମଦେଶ:ଭିଡ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ଭିତରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

0

ଭୁବନେଶ୍ୱର:ପଦ୍ମଫୁଲରେ ସୁ ସଜ୍ଜିତ ହେବେ କାଳିଆ ସାଆନ୍ତ । କାରଣ ମହାପ୍ରଭୁଙ୍କର ଆଜି ଦୁର୍ଲଭ ପଦ୍ମଦେଶ । ପ୍ରତିବର୍ଷ ତ୍ରିବେଣୀ ଅମାବାସ୍ୟା ପରବର୍ତ୍ତୀ ବୁଧବାର କିମ୍ବା ଶନିବାର ଯେଉଁ ଦିନ ପଡିବ ସେହିଦିନ ଏହି ଅନନ୍ୟ ବେଶରେ ସଜ୍ଜିତ ହୁଅନ୍ତି ମହାବାହୁ । ମହାପ୍ରଭୁଙ୍କ ଅନେକ ପ୍ରକାର ଦୁର୍ଲଭ ବେଶ ରହିଛି । ଏଥିମଧ୍ୟରୁ ପଦ୍ମବେଶ ବି ଏକ ଦୁର୍ଲଭ ବେଶ । ଚକାନୟନଙ୍କୁ ଦେଖିବା ପାଇଁ ଭକ୍ତଙ୍କର ସବୁବେଳେ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଥାଏ ଭିଡ । ଆଜି ବି ମହାପ୍ରଭୁଙ୍କ ପଦ୍ମବେଶକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ଭିଡ ଲାଗିରହିଛି । ଖାଲି ଶ୍ରୀଜଗନ୍ନାଥ ପଦ୍ମବେଶ ହେବେନି ବରଂ ମାଆ ଶୁଭଦ୍ରା ଏବଂ ବଡ ଭାଇ ବଳଭଦ୍ର ମଧ୍ୟ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ସଂଧ୍ୟାଧୂପ ପରେ ଶ୍ରୀମନ୍ଦିରକୁ ପ୍ରସ୍ତୁତ ପଦ୍ମବେଶ ବିଜେ କରିବ । ବଡସିଂହାର ବେଶରେ ଏହା ମହାପ୍ରଭୁଙ୍କୁ ଲାଗି ହେବ ।ଏନେଇ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି ।

୨୧ ତାରିଖରେ ପଡିଥିବା ବେଳେ ଆଜି ବୁଧବାର ପଡ଼ୁଥିବାରୁ ମହାପ୍ରଭୁଙ୍କୁ ଘୋଡ ଲାଗି କରାଯାଇ ବେଶ ଲାଗି କରାଯିବ । ଏହି ବେଶରେ ବଡ଼ଠାକୁରଙ୍କ ନିକଟରେ ସ୍ବତନ୍ତ୍ର ଖିରି ଭୋଗ ଲାଗି ହେବ ।ଭକ୍ତ ମନୋହର ଦାଶର ମନବାଞ୍ଚା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିବାରୁ ପୌରାଣିକ ମତ ଅନୁଯାୟୀ ମହାପ୍ରଭୁଙ୍କ ଏହି ପଦ୍ମ ବେଶ କରାଯାଇଥାଏ । ଶୋଲ, ଜରି, ଜମ୍ବୁରା, ପ୍ରାକୃତିକ ରଙ୍ଗରେ ବେଶ ନିର୍ମାଣ କରାଯାଇଛି । ପଣ୍ଡୁ ପୂର୍ଣମୀ ଠାରୁ ଏହି ବେଶ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥିଲା । କଦଳୀ ପାଟୁକାରେ କଦମ୍ବ ଫୁଲ, ହଂସ, ପଦ୍ମ ଆଦି ବିଭିନ୍ନ ପାରମ୍ପରିକ ବେଶ ନିର୍ମାଣ କରାଯାଇ ମହାପ୍ରଭୁଙ୍କୁ ପଦ୍ମ ବେଶରେ ସଜ୍ଜିତ କରାଯିବ । ଏହି ଦୃଷ୍ଟିରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।