ଭୁବନେଶ୍ୱର : ମିଶନ ଶକ୍ତି ମହିଳାମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ମିଶନ ଶକ୍ତି ଅଦୀନରେ କାର୍ଯ୍ୟ କରୁଥିବା ସ୍ୱୟଂ ସହାୟିକ ଗୋଷ୍ଠୀର ମହିଳା ମାନେ ସରକାର ଏବଂ ସମାଜ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରୁଛନ୍ତି ବୋଲି ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା ଆର କାର୍ତ୍ତିକେୟନ ପ୍ରକାଶ କରିଛନ୍ତି । ଆଜି ୱାଲର୍ଡ ସ୍କିଲ ସେଣ୍ଟରରେ ଆୟୋଜିତ ମହାତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କ ଦକ୍ଷତା ବିକାଶ କର୍ମଶାଳାର ଉଦଯାପନ ଦିବସରେ ଯୋଗଦେଇ କାର୍ତ୍ତିକେୟନ ରାଜ୍ୟରେ ମିଶନ ଶକ୍ତିର ସଫଳତା ଏବଂ ଆହ୍ୱାନ ସଂପର୍କରେ ଅଧିକାରୀଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।
ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ପ୍ରମୁଖ ବିକାଶମୂଳକ ପଦକ୍ଷେପ ମଧ୍ୟରୁ ମହିଳା ସଶକ୍ତିକରଣ ଅନ୍ୟତମ । ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ସେମାନଙ୍କର ସାମାଜିକ ସଶକ୍ତିକରଣରେ ଯଥେଷ୍ଟ ସହାୟକ ହୋଇଥାଏ । ବିଶେଷ କରି ତୃଣମୂଳସ୍ତରରେ ମହିଳାମାନେ ନିଷ୍ପତ୍ତି ଗ୍ରହଣରେ ଭାଗନେବା ଆବଶ୍ୟକ । ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ନେତୃତ୍ୱ ବିକାଶ ହୋଇପାରିଛି । କୋଭିଡ ସମୟରେ ରାଜ୍ୟର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରି ଏହାକୁ ପ୍ରମାଣିତ କରିଛନ୍ତି । ରାଜ୍ୟ ସରକାର ପାଞ୍ଚବର୍ଷ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବସାୟ ପାଇଁ ୫ହଜାର କୋଟି ଟଙ୍କାର ପାଣ୍ଠି ଯୋଗାଇଦେବାର ବ୍ୟବସ୍ଥା ରହିଛି ।
ଏହି କର୍ମଶାଳାରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢୀ ଖାଦ୍ୟର ବିବିଧତା ବିଷୟରେ ଏବଂ ଖାଦ୍ୟ ଅପଚୟ ହ୍ରାସ ଉପରେ ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ କରିଛନ୍ତି । ତେବେ ଏହି କାର୍ଯ୍ୟ କର୍ମରେ ବିଭିନ୍ନ ଉଚ୍ଚପଦାଧିକାରୀ ଯୋଗ ଦେଇଥିଲେ ।