ଭୁବନେଶ୍ୱର : ଏପଟେ ବିଶ୍ୱକପ୍ ଓ ଅନ୍ୟପଟେ ଆବର୍ଜନାର ସ୍ତୁପ, ବିଶ୍ୱକପକୁ ଆସିଥିବା ଖେଳାଳୀମାନଙ୍କୁ ଭୁବନେଶ୍ୱର ଆଉ କିଛି ଦେଉ ନଦେଉ, ଡ଼େଙ୍ଗୁ ଏବଂ ଝାଡ଼ାବାନ୍ତି ରୋଗର କିଛି ଜୀବାଣୁ ନିଶ୍ଚିୟ ଦେଇ ପାରିବ । କଳିଙ୍ଗ ଷ୍ଟାଡ଼ିୟମକୁ ସଜାଇ, ସହରର କିଛି ପ୍ରମୁଖ ଅଂଶକୁ ସୁନ୍ଦର କରି ଅନ୍ୟ ସବୁ ଅଞ୍ଚଳ ଉପରେ ନଜର ନଦେବା ପାଇଁ ବି.ଏମ୍.ସି. ତତ୍ପର । ସ୍ୱାସ୍ଥ୍ୟ ବିଭାଗର କେତେକ ଅସାଧୁ ପଦସ୍ତ କର୍ମକର୍ତ୍ତା ଓ ରାଜ୍ୟ ପ୍ରଶାସନର ଉଦାସୀନତା ଯୋଗୁ ଝାଡ଼ାବାନ୍ତି, ଡ଼େଙ୍ଗୁ ଭଳି ମାରତ୍ମକ ରୋଗରେ ଭୁବନେଶ୍ୱର ସ୍ମାର୍ଟ ସିଟି ବହୁଶୀଘ୍ର ଆକ୍ରାନ୍ତ ହେବାକୁ ଯାଉଛି । ଭୂମିକମ୍ପର ଏପିସେଣ୍ଟର ଭଳି ଏହି ମାରାତ୍ମକ ରୋଗର ଏପି ସେଣ୍ଟର ହେଉଛି ଚନ୍ଦ୍ରଶେଖରପୁର ଠାରୁ ନନ୍ଦକାନନ ରାସ୍ତରେ ପଡ଼ୁଥିବା ରଘୁନାଥପୁର । ଏ ଅଞ୍ଚଳରେ ବହୁ ଅପାଟମେଣ୍ଟ ଏବଂ ଏଠାରେ ଅବସ୍ଥିତ ଲାଲଚାନ୍ଦ ଜୁଏଲର୍ସ ଦୋକାନ ପାଖାପାଖି ଥିବା ନାଳ ଏ ସମସ୍ତ ଅଞ୍ଚଳର ଡ଼ପିଙ୍ଗୟାର୍ଡ଼ ପାଲିଟିଯାଇଛି ।
ଭୁବନେଶ୍ୱରରୁ କଟକ ଯାଉଥିବା ଶହ ଶହ ସଂଖ୍ୟାରେ ଗାଡ଼ି ମଟର, ମଟର ସାଇକେଲ ତନଖି କରିବକୁ ସେଠାରେ ରହୁଥିବା ପିସିଆର ଏବଂ ପୋଲିସ୍ ନୀରବଦ୍ରଷ୍ଟା ହୋଇ ଦେଖୁଛି । ଅଂସଖ୍ୟ ଲୋକ ସେମାନଙ୍କ ଗାଡ଼ିରେ ଘରର ଆବର୍ଜନା, ସାନିଟାରୀ ନାପକିନ ଠାରୁ ଆରମ୍ଭକରି ସମସ୍ତ ବର୍ଜ୍ୟବସ୍ତୁ ଏହି ନାଳରେ କିପରି ପକାଇ ଚାଲିଯାଉଛନ୍ତି । କିଛି ଦିନ ଭିତରେ ଏହି ନାଳ ପୋତି ହୋଇ ଗଂଗୁଆ ନାଳ ଭଳି ହୋଇଯିବ । ନନ୍ଦନକାନନକୁ ପ୍ରତିଦିନ ଅଂସଖ୍ୟ ପର୍ଯ୍ୟଟକ ଶହ ଶହ ଗାଡ଼ିରେ ଆସୁଛନ୍ତି । ଏହି ପର୍ଯ୍ୟଟକମାନଙ୍କ ପାଇଁ ରାସ୍ତାରେ ଖୋଲିଯାଇଛି ଅଂସଖ୍ୟ ଢ଼ାବା ଏବଂ ଉଠା ଦୋକାନୀ । ଅଧିକାଂଶଙ୍କର ନା ଅଛି ଟ୍ରେଡ଼ ଲାଇସେନ୍ସ ନା ଏମାନେ ତିଆରି କରୁଥିବା ଖାଦ୍ୟର ମାନକ କେବେ ନିର୍ଦ୍ଧାରଣ ହେଉଛି । ଡ଼୍ରଇଭରମାନଙ୍କୁ ବିନା ପଇସାରେ ଖାଇବା ଦେଉଥିବା ହେତୁ ବହୁଗାଡ଼ି ବିଭିନ୍ନ ଢ଼ାବା ସାମନାରେ ରାସ୍ତା ଉପରେ ରଖାଯାଇ ପର୍ଯ୍ୟଟ୍ଟକମାନଙ୍କୁ ସେଠାରେ ଖାଇବା ପାଇଁ ଏକରକମର ବାଧ୍ୟକରାଯାଉଛି । ଏହି ରାସ୍ତାରେ ଦୁଲାଦେଇଙ୍କ ମନ୍ଦିର ନିକଟସ୍ଥ ବରଗଛ ପାଖରେ ରାସ୍ତା ଉପରେ ହୋଟେଲ ହିନ୍ଦୁସ୍ତାନ ସାମନାରେ ଏବଂ ତା ପାଖ ଗଳିରାସ୍ତାରେ ବହୁ ବସ୍,ଜିପ ଓ ଗାଡ଼ି ଆସି ଜମା ହେବାଫଳରେ ରାସ୍ତା ଜାମ ହେବା ସହ ଅନ୍ୟ ଗାଡ଼ି ଚଳାଚଳରେ ବାଧା ପହଞ୍ଚୁଛି । ମାତ୍ର ୧୦୦ ମିଟର ଆଗରେ ତିଆରି ହୋଇଥିବା ବହୁତଳ ପାକିଂ ସ୍ଥଳରେ କୌଣସି ଗାଡ଼ି ରହୁନାହିଁ ।
ହୋଟେଲର ବାସୀ ଖାଦ୍ୟ, ବର୍ଜ୍ୟବସ୍ତୁ ଏବଂ ମଇଲା ପାଣି ସବୁ ରାସ୍ତା ଉପରେ ବା ପାଖ ଖାଲି ଜାଗାରେ ପଡ଼ୁଥିବାରୁ ପରିବେଶ ଦୁଷିତ ହେବା ସଙ୍ଗେ ସଙ୍ଗେ ଜମା ହୋଇଥିବା ଦୁଷିତ ପାଣି ହେତୁ ଡ଼େଙ୍ଗୁ ମଶାମାନଙ୍କର ଏହା ଜନ୍ମସ୍ଥଳୀ ପାଲଟିଯାଇଛି । ଏସବୁ ଦୁଷିତ ପରିବେଶ କେବଳ ଖୋର୍ଦ୍ଧା ସି.ଡ଼ି.ଏମ୍.ଓ.ଙ୍କ ଅପାରଗତା ଯୋଗୁ ହେଉଛି ବୋଲି ଏହି ଅଞ୍ଚଳର ସମସ୍ତଙ୍କ ମତାମତ । ନିହିତ ସ୍ୱାର୍ଥ ଦୃଷ୍ଟିରୁ ସି.ଡ଼ି.ଏମ୍.ଓ. ମହାଶୟ ଏସବୁ ପ୍ରତି ଧ୍ୟାନ ଦେଉନାହାନ୍ତି । ଏ ସମ୍ପର୍କରେ ବି.ଏମ୍.ସି.କୁ ଯୋଗାଯୋଗ କରିବା ପରେ ବି.ଏମ୍.ସି.ର ସ୍ୱାସ୍ଥ୍ୟ ଅଧିକାରୀ ଏହି ଅଞ୍ଚଳ ବି.ଏମ.ସି ଅଧୀନରେ ନଥିବା ହେତୁ ସେ କିଛି କରିପାରିବେନି ବୋଲି କହି ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚି଼କିତ୍ସା ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କହୁଛନ୍ତି ।
ଖୋର୍ଦ୍ଧା ସି.ଡ଼ି.ଏମ୍.ଓ. ଡ଼କ୍ଟର ଆର୍ତ୍ତବନ୍ଧୁ ନାୟକଙ୍କୁ ଯୋଗାଯୋଗ କରିବା ଏକ କାଠିକର ପାଠ । ତାଙ୍କୁ ଲିଖିତ ଅନୁରୋଧ କଲେ ସେ ଏ ସମ୍ପର୍କରେ କିଛି କହୁନାହାନ୍ତି । କାରଣ ସେ କୁହନ୍ତି ଯେ ତାଙ୍କ ଉପରେ ସାରା ଜିଲ୍ଲାର ଦାୟିତ୍ୱ । ତେଣୁ ଏଇ ଛୋଟ କଥା ସେ ଦେଖିପାରିବେ ନାହିଁ । ସି.ଡ଼ି.ଏମ୍.ଓ.ଙ୍କ ପାଖରେ ଅଛନ୍ତି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ । ସି.ଡ଼ି.ଏମ୍.ଓ.ଙ୍କ ଆଦେଶ ବିନା ସେ ମଧ୍ୟ କିଛି କରିପାରିବେନି ବୋଲି ମେଣ୍ଢାଶାଳରେ ଥିବା ତାଙ୍କ ଅଫିସ୍ ଏସବୁ କଥା ବୁଝିବ ବୋଲି କହିବା ପରେ ସି.ଡ଼ି.ଏମ୍.ଓ.ଙ୍କ ଆଦଶେ ଛଡ଼ା ସେମାନେ ମଧ୍ୟ କିଛି କରିବେନି ବୋଲି କହିଲେ ।
ସି.ଡ଼ି.ଏମ୍.ଓ.ଙ୍କ ଠାରୁ ଆରମ୍ଭ କରି ସମସ୍ତେ ପ୍ରତି ମାସରେ ଏହି ଉଠା ଦୋକାନୀ ଏବଂ ଢ଼ାବାମାନଙ୍କ ଠାରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ କିଛି କିଛି ବଟି ନେଉଥିବା ଜନସାଧାରଣରେ କାଥାବାର୍ତ୍ତା ହେଉଛି । କାରଣ ତା ନହୋଇଥିଲେ ନନ୍ଦନକାନନ ରାସ୍ତା ଯାହାକି ଭୁବନେଶ୍ୱରର ଏକ ବିଶେଷ ପର୍ଯ୍ୟଟକ ସ୍ଥଳୀ ହୋଇ ସେଠାରେ ଏସବୁ କିପରି ହେଉଛି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ । ବି.ଏମ୍.ସି, ସହର ଭିତରର ଉଠା ଦୋକାନୀ, ଢ଼ାବା, ଖାଇବା ଦୋକାନ ସବୁ ଯାଞ୍ଚ କଲାବେଳେ ଏସବୁର ଯାଞ୍ଚ ନାହିଁକି ହେଉନି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ, ଅନ୍ତତଃ ନିଜ ହାତକୁ ନେଇ ବି.ଏମ.ସି. ଏଠାରେ ମଧ୍ୟ କିଛି କରି ପାରନ୍ତା । ଖୋର୍ଦ୍ଧା ସି.ଡ଼ି.ଏମ୍.ଓ. ଏ ସମ୍ପର୍କରେ ଉଦାସନ କାହିଁକି? ଏ ସମ୍ପର୍କରେ ଖୁବଶୀଘ୍ର ଧ୍ୟାନ ଦେବା ପାଇଁ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଅନୁରୋଧ କରିବା ସତ୍ତେ୍ୱ ଏହି ଅଞ୍ଚଳକୁ ଅବହେଳା କରାଯାଉଥିବା ଅତ୍ୟନ୍ତ କ୍ଷୋଭର ବିଷୟ ।