୨୦୨୪ ମକର ସଂକ୍ରାନ୍ତିରୁ ବିରାଜିବେ ରାମଲାଲା

ଟ୍ରଷ୍ଟ ବୋର୍ଡରେ ନିଆଗଲା ନିଷ୍ପତ୍ତି

0

ଅଯୋଧ୍ୟା: ୨୦୨୪ ମକର ସଂକ୍ରାନ୍ତି ଅର୍ଥାତ ଜାନୁଆରୀ ୧୫ ତାରିଖରେ ନବ ନର୍ମିତ ରାମ ମନ୍ଦିରରେ ରାମଲାଲା ବିରାଜ ମାନ କରିବେ। ଏହାପରେ ମନ୍ଦିରରେ ସାଧାରଣ ଦର୍ଶନ ସହିତ ପୂଜାର୍ଚ୍ଚନା ମଧ୍ୟ ଆରମ୍ଭ ହେବ। ଏଥିପାଇଁ ମୁଖ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ କରାଯିବ। ରବିବାର ସ୍ଥାନୀୟ ସର୍କିଟ ହାଉସରେ ଅନୁଷ୍ଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସହମତ ହୋଇଥିଲା। ଅନୁଷ୍ଠିତ ସଭାରେ ମନ୍ଦିରର ନିର୍ମାଣ ଏବଂ ରାମଲାଲାଙ୍କ ପ୍ରତିମା ନିର୍ମାଣ ଉପରେ ମଧ୍ୟ ଏକ ଚର୍ଚ୍ଚା ହୋଇଥିଲା। ତେବେ ନର୍ମାଣ ଲାଗି ମୋଟ ବଜେଟର ପରିମାଣ ୧୮ ଶହ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ସୂଚନା ଅନୁସାରେ ବୈଠକରେ ୩ଟି ମୁଖ୍ୟ ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ଚମ୍ପତ ରାୟଙ୍କ ସୂଚନା ଅନୁସାରେ ମନ୍ଦିର ନିର୍ମାଣ କରୁଥିବା ଟିଇସି କମ୍ପାନୀ ମୋଟ ୧୮ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସ୍ଥିର କରିଛି। ପୂର୍ବରୁ ୪ ଶହ କୋଟିରେ ଧାର୍ଯ୍ୟ କରାଯାଇଥିଲା। ଏହାଉପରେ ଆହୁରି ଅଧିକ ମୂଲ୍ୟାଙ୍କନ କରାଯିବ ବୋଲି ଶ୍ରୀ ରାୟ କହିଛନ୍ତି। ଏହାଛଡା ୭୦ ଏକର ଜମିରେ ଆହୁରି ୭ଟି ମନ୍ଦିର ନିର୍ମାଣ କରାଯିବ। ସମ୍ପୃକ୍ତ ମନ୍ଦିର ଗୁଡିକରେ ମହର୍ଷି ବାଲ୍ମିକୀ, ମହର୍ଷି ବଶିଷ୍ଠ, ବିଶ୍ୱାମିତ୍ର, ଅଗସ୍ତ୍ୟ, ମାତା ଶର୍ବରୀ, ନିଶାଦ ରାଜ ଏବଂ ଜଟାୟୁ ପ୍ରଭୃତି ମୁନିଋଷି ରହିଛନ୍ତି। ଏମାନଙ୍କର ମନ୍ଦିର ନିର୍ମାଣ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଟ୍ରଷ୍ଟର ସଦସ୍ୟ କାମେଶ୍ୱର ଚୌପାଲଙ୍କ ସୂଚନାନୁସାରେ ଗର୍ଭଗୃହରେ ଥିବା ରାମଲାଲାଙ୍କ ପ୍ରତିମା ନିର୍ମାଣ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ରାମଲାଲାଙ୍କ ଶିଶୁ ରୂପର ପ୍ରତିମୂର୍ତ୍ତି ଶାଳଗ୍ରାମ ପଥରରେ ତିଆରି କରାଯିବା ଉଚିତ ବୋଲି ଟ୍ରଷ୍ଟର କେତେକ ସଦସ୍ୟ ମତ ଦେଇଥିଲେ। ମାର୍ବଲ କିମ୍ବା କାଠରେ ପ୍ରତିମୂର୍ତ୍ତି ନିର୍ମାଣ ଲାଗି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନଥିବା ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି। ଏଥିପାଇଁ ବୈଷୟିକ ଟିମର ମଧ୍ୟ ମତ ନିଆଯିବ। ଅନୁଷ୍ଠିତ ଟ୍ରଷ୍ଟ ବୈଠକରେ ଟ୍ରଷ୍ଟ ସଭାପତି ମହନ୍ତ ନିତ୍ୟଗୋପାଳ ଦାସ, କୋଷାଧ୍ୟକ୍ଷ ଗୋବିନ୍ଦ ଦେବଗିରି ଏବଂ ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ସମେତ ୧୦ ଜଣ ଟ୍ରଷ୍ଟି ସଦସ୍ୟ ଯୋଗଦେଇଥିଲେ। ବାକି ୪ ଜଣ ଭର୍ଚୁଆଲରେ ଯୋଗଦେଇଥିଲେ।