ଇସିଙ୍କ ନିର୍ବାଚନ ପ୍ରଚାର ବ୍ୟାନ ବିରୋଧରେ ମମତାଙ୍କ ଧାରଣା

0

କୋଲକାତା: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ମଙ୍ଗଳବାର ସକାଳୁ ଧାରଣାରେ ବସିଛନ୍ତି । ଗତକାଲି ନିର୍ବାଚନ କମିଶନଙ୍କ ଦ୍ୱାରା ମମତାଙ୍କ ନିର୍ବାଚନ ପ୍ରଚାର ଉପରେ ସୋମବାର ସଂଧ୍ୟା ୮ରୁ ମଙ୍ଗଳବାର ସଂଧ୍ୟା ୮ଟା ପର୍ଯ୍ୟନ୍ତ ବ୍ୟାନ ଲଗାଇବାକୁ ବିରୋଧକରି ମମତା ଏହି ଧାରଣାରେ ବସିଛନ୍ତି । ମମତା ଧାରଣାରେ ବସି ନିଜକୁ ଚିତ୍ର ପ୍ରସ୍ତୁତରେ ବ୍ୟସ୍ତ ରଖିଥିବା ଦେଖିବାକୁ ମିଳିଛି ।
ସୋମବାର ଦିନ ନିର୍ବାଚନ କମିଶନ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଜାରି ପ୍ରଚାର ପ୍ରକ୍ରିୟାରେ ମମତାଙ୍କ ପ୍ରଚାର ଉପରେ ୨୪ ଘଣ୍ଟା ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି । ନିର୍ବାଚନୀ ପ୍ରଚାର କାଳରେ ମମତା ଆଇନ ଉଲ୍ଲଙ୍ଘନ କରିବା ସହ ଉତ୍ତେଜକପୂର୍ଣ୍ଣ ବୟାନ ଦେଇ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା କହିଛନ୍ତି । ପଶ୍ଚିମବଙ୍ଗରେ ୫ମ ପର୍ଯ୍ୟାୟ ନିର୍ବାଚନ ରାଲି ସମୟରେ ଏପରି ଉତ୍ତେଜକ ବୟାନ ଦେଇଥିବାରୁ ଏହି ପ୍ରତିବନ୍ଧକ ଲଗାଯାଇଛି । ନିର୍ବାଚନ ପାନେଲ ମମତାଙ୍କ ବୟାନ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ ବୋଲି କହିବା ସହ ମମତାଙ୍କୁ ବାକ୍ ଉପରେ ନିୟନ୍ତ୍ରଣ ରଖିବାକୁ ଚେତାବନୀ ଦେଇଛନ୍ତି । ନିର୍ବାଚନ ପାଇଁ ମଡେଲ କୋଡ ଅଫ କଣ୍ଡକ୍ଟ ଜାରି ହୋଇଥିବା ବେଳେ ସେ ନିଜ ବୟାନ ଦେବା ସମୟରେ ସତର୍କ ରହିବାକୁ କୁହାଯାଇଛି ।
ନିର୍ବାଚନ କମିଶନଙ୍କ ଏହି ପଦକ୍ଷେପକୁ ଟିଏମସି ସାଂସଦ ଡେରେକ ଓ ବ୍ରିନ ଗଣତନ୍ତ୍ର ପାଇଁ କଳା ଦିବସ ବୋଲି କହିଛନ୍ତି । ସେ କହିଛନ୍ତି, ଭାରତୀୟ ଗଣତନ୍ତ୍ରରେ ଆଜିର ଦିନ ଏକ କଳ ଦିନ । ସେମାନଙ୍କୁ ଆମକୁ ହରାଇ ପାରିବେ ନାହିଁ ତେଣୁ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାକୁ ନେଇ ପୂର୍ବତନ କଂଗ୍ରେସ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ବାନାର୍ଜୀ କହିଛନ୍ତି, ମମତାଙ୍କ ପ୍ରଚାର ଅଭିଯାନ ଉପରେ ବ୍ୟାନ ଲଗାଯାଉଛି, ଯେତେବେଳେ କି ଭାରତୀୟ ଜନତା ପାର୍ଟିର ଘୃଣ୍ୟ ଭାଷଣକୁ ଅଣଦେଖା କରାଯାଉଛି । ଏହା ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଅରୋରାଙ୍କ ଭାରତୀୟ ଜନତା ଦଳ ପ୍ରତି ପକ୍ଷପାତିତାକୁ ଦର୍ଶାଉଛି । ଏନସିପି ନେତା ନୱାବ ମଲିକ ମଧ୍ୟ ଏହି ଘଟଣାରେ ଇସିଙ୍କ ଉପରେ ଆକ୍ରମଣ କରିଛନ୍ତି ।