ଯାଜପୁର : ସେ ଯୁଗରେ ପତ୍ନୀ ମମତାଜଙ୍କ ପାଇଁ ତାଜ ମହଲ ବନାଇଥିଲେ ଶାହାଜାହାନ | ଯାହାକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ | ପିଲାଠୁ ବୁଢା ସମସ୍ତେ ଜାଣିଛନ୍ତି ଏହି କାହାଣୀ | ହେଲେ ଏବେ ଠିକ ସେହିଭଳି ପ୍ରେମ କାହାଣୀ ଓଡ଼ିଶାରେ ଦେଖିବାକୁ ମିଳିଛି | ନିଜ ପତ୍ନୀଙ୍କ ପାଇଁ ୭ କୋଟି ଟଙ୍କାର ମନ୍ଦିର ନିର୍ମାଣ କରିଛନ୍ତି ସ୍ୱାମୀ | ଏଭଳି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଚିକଣା ଗାଁରେ | ପତ୍ନୀଙ୍କ ମନସ୍କାମନା ପୂରଣ ପାଇଁ ସ୍ୱାମୀ ତିଆରି କରିଦେଇଛନ୍ତି ମା ସନ୍ତୋଷୀଙ୍କ ମନ୍ଦିର | ତେବେ ବିବାହ ବେଳେ ସ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ସ୍ୱାମୀ କ୍ଷେତ୍ରବାସୀ ଲେଙ୍କା । ଯାହାକୁ ଆଜି ସେ ପୁରଣ କରିଛନ୍ତି | ତେବେ ୨୦୦୮ ମସିହାରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା | ଏହି ମନ୍ଦିର ନିର୍ମାଣ ପାଇଁ ୭ କୋଟି ଟଙ୍କାରୁ ଉର୍ଦ୍ଧ ଖର୍ଚ୍ଚ ହୋଇଛି | ତେବେ କ୍ଷେତ୍ରବାସୀ ଲେଙ୍କା ଜଣେ ଶିଳ୍ପପତି |
ଉଭୟ ଦମ୍ପତି ହାଇଦ୍ରାବାଦରେ ରୁହନ୍ତି । ପତ୍ନୀଙ୍କ ଇଛା ଥିଲା ଏକ ମନ୍ଦିର ନିର୍ମାଣ କରିବା ପାଇଁ ଏବଂ ଉକ୍ତ ମନ୍ଦିର ନିର୍ମାଣ ପରେ ଏହାକୁ ଗ୍ରାମବାସୀଙ୍କୁ ଭେଟି ଦେଇଛନ୍ତି ଦମ୍ପତି | ଦକ୍ଷିଣ ଭାରତୀୟ କାରିଗରୀରେ ନିର୍ମିତ ଏହି ମନ୍ଦିରର କାରୁକାର୍ଯ୍ୟ ଅତି ସୁନ୍ଦର ଓ ନିଖୁଣତାର ସହ ହୋଇଛି | ମନ୍ଦିର ମୁଖଶାଳା ୮୬ ଫୁଟ ହୋଇଛି । ଏଥିସହ ମନ୍ଦିରରେ ସନ୍ତୋଷୀ ମା’ଙ୍କ ସହ ପ୍ରଭୁ ଶିବ, ଗଣେଶ, ହନୁମାନ ଓ ନବଗ୍ରହ ସ୍ଥାନ ପାଇଛନ୍ତି । ଏହି ମନ୍ଦିରର କାରୁକାର୍ଯ୍ୟ ଦେଖି ଲୋକେ ବହୁତ ପ୍ରଶଂସା କରୁଛନ୍ତି | ଏବଂ ସନ୍ତୋଷୀଙ୍କ ମନ୍ଦିରକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି ।