ଦୟାଲ ଆଶ୍ରମରୁ ଶୁଭୁଛି ମାନସଙ୍କ ଭୟଙ୍କର ରଡ୍ଡି !

0

ଭୁବନେଶ୍ୱର: ବହୁ ଚର୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତ ଏବେ ଜେଲର ଚାରିକାନ୍ଥ ଭିତରେ । କ୍ରାଇମବ୍ରାଂଚ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ନିରଂଜନ ଓ ଝୁନା ଭୋଇଙ୍କୁ ଜେଲକୁ ଯାଇ ରୀତିମତ ପଚରା ଉଚାରା କରୁଛି । କିନ୍ତୁ ଏବେ ବି ଏହି ଘଟଣାର ରହସ୍ୟ ପଦାକୁ ଆଣି ପାରି ନାହିଁ କ୍ରାଇମବ୍ରାଂଚ । କିନ୍ତୁ ଏହାରି ଭିତରେ ଏବେ ଏକ ଅବିଶ୍ୱସନୀୟ ଘଟଣା ସାମନାକୁ ଆସିଛି । ଯାହାକୁ ସହଜରେ ଆଧୁନିକ ସମାଜ ଗ୍ରହଣ କରି ପାରିବେ ନାହିଁ ।

ସ୍ଥାନୀୟ ଲୋକ ଯାହା କହୁଛନ୍ତି ମନକୁ ବିଶ୍ୱାସ ହେଉ ନାହିଁ । କିନ୍ତୁ ତାହା ସତ ବୋଲି ସେମାନଙ୍କ ମତ । ସୁନ୍ଦରପଦାରେ ଥିବା ଶର୍ମିଷ୍ଠାଙ୍କ ଦୟାଲ ଆଶ୍ରମରୁ ରାତିରେ ଅଧରେ ଶୁଭୁଛି ଭୟଙ୍କର ରଡ୍ଡି । ମରିଗଲି ମରିଗଲି ମୋତେ ବଂଚାଓ । ମୋ ଛାତି ପଂଜରା ଭାଙ୍ଗି ଗଲା । ମୋତେ ଏତେ ମାରନା । ମୁଁ କିଛି ଜାଣିନି, ଚିପ୍ କେଉଁଠି ଅଛି । ମୁଁ କିଛି ବି ନଗ୍ନ ଭିଡିଓ ସୁଟିଂ କରିନି । ପାରୁଛ ଯଦି ମୋତେ ଟିକେ ପାଣି ମୁନ୍ଦେ ଦିଅ । ମୋ ବାପା ବୋଉଙ୍କୁ ଟିକେ ଖବର ଦିଅ । ଏହି ଭଳି ବିକଟାଳ ଶବ୍ଦ କାଳେ ରାତି ଅଧରେ ଶୁଣିବାକୁ ମିଳୁଛି ଦୟାଲ ଆଶ୍ରମ ନିକଟରୁ ।

ରାତି ପ୍ରାୟ ୧ଟାରୁ ସାଢ଼େ ୩ଟା ରାତିରେ ସେହି ବାଟ ଦେଇ ଯେଉଁମାନେ ଯାଉଛନ୍ତି ଏଭଳି ଶବ୍ଦ ଶୁଣିବାକୁ ପାଉଛନ୍ତି । ଆଶ୍ରମ ସିଲ୍ ହୋଇଥିଲେ ମଧ୍ୟ ଭିତରୁ ଗଁ ଗଁ ଆୱାଜ୍, ମାରଧର ସାଉଣ୍ଡ ଓ ଫୋପଡ଼ା ଫିଙ୍ଗା, କଂସାବାସନ ଧୂରଧାର ହୋଇ ପଡ଼ିବା ଭଳି ଶବ୍ଦ ଶୁଭୁୁଛି । ଆଶ୍ରମ ସିଲ ହୋଇଥିବାରୁ ଘର ଭିତର ସଂପୂର୍ଣ୍ଣ ଅନ୍ଧାର । ଫଳରେ ବିଳମ୍ବିତ ରାତିରେ ସେହି ରାସ୍ତା ଦେଇ ଯିବାକୁ ଛୋଟପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଡରୁଛନ୍ତି । ରାତିରେ ଅଧରେ ଅନେକ ବାଟ ଭାଙ୍ଗି ଭିନ୍ନ ରାସ୍ତାରେ ଯାଉଛନ୍ତି । ଆଶ୍ରମର ଯେଉଁ କେୟାର ଟେକର ଅଛନ୍ତି ସେ ମଧ୍ୟ ଏଭଳି ଭୟଙ୍କର ଆୱାଜ ଶୁଣିଥିବା ନେଇ ପରୋକ୍ଷରେ କରୁଛନ୍ତି ସ୍ୱୀକାର ।

ଅନ୍ୟପକ୍ଷରେ ଏହି ବହୁ ଚର୍ଚିତ ହତ୍ୟା ଘଟଣାରେ ଦୟାଲ ଆଶ୍ରମ କେୟାର ଟେକର ସୋନି ପାତ୍ରଙ୍କ ବୟାନ ରେକର୍ଡ ଚାନ୍ଦବାଲି ଜେଏଏଫସି କୋର୍ଟରେ ହୋଇଛି । ସେଠାରେ ସିଆରପିସିର ଧାରା ୧୬୪ ଅନୁଯାୟୀ ସୋନି ଘଟଣା ସମ୍ପର୍କରେ ଅନେକ ତଥ୍ୟ ମାନ୍ୟବର କୋର୍ଟଙ୍କୁ କରିଛନ୍ତି ପ୍ରଦାନ । ସେହିପରି ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀଗୁଡ଼ିକୁ କ୍ରାଇମବ୍ରାଂଚ ପକ୍ଷରୁ କୋର୍ଟରେ ଜିମା ଦିଆଯାଇଛି । ଖୁବ୍ ଶୀଘ୍ର ଶର୍ମିଷ୍ଠାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଜେଲ ଭିତରେ ଟିଆଇ ପରେଡ୍ କରିବାକୁ କ୍ରାଇମବ୍ରାଂଚ କୋର୍ଟରେ ଆବେଦନ ମଧ୍ୟ କରିବ ।