ବ୍ୟୁରୋ(ରିପୋଟର୍ସ ଟୁଡେ ): ଓଡ଼ିଶାରେ ଆସନ୍ତା ନଭେମ୍ବର ୧୦ତାରିଖରେ ପାଳନ ହେବାକୁ ଯାଉଛି ମାଣ୍ଡିଆ ଦିବସ । ପ୍ରତିବର୍ଷ ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ପାଳିତ ହେବ ମାଣ୍ଡିଆ ଦିବସ । ଏହି ନିଷ୍ପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନୁମୋଦନ ହୋଇଥିଲା । ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ତେବେ ଚଳିତବର୍ଷ ଠାରୁ ଶୁଭାରମ୍ଭ ହେବାକୁ ଯାଉଛି ମାଣ୍ଡିଆ ଦିବସ ।
ମାଣ୍ଡିଆ ଚାଷ ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ଅନ୍ୟଅର୍ଥରେ କହିଲେ ମାଣ୍ଡିଆରେ ଭରିରହିଛି ଅନେକ ପୃଷ୍ଟିସାର ଭିଟାମିନ । ଆଗକାଳ ଲୋକେ ପେଟ ପୁରିବା ସହ ପେଟ ଥଣ୍ଡା ରହିବା ପାଇଁ ମାଣ୍ଡିଆରେ ପ୍ରସ୍ତୁତ ଜାଉ ବା କ୍ଷୀରି ଖାଉଥିଲେ । ତେବେ ଏହି ଚାଷ ବିଷୟରେ ଅଧିକ ଲୋକେ ନ ଜାଣିପାରୁଥିବାରୁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି । ମାଣ୍ଡିଆ ଚାଷର ପ୍ରଚାର ପ୍ରସାର ଓ ବ୍ୟବହାର ଏହାର ମୂଳ ଉଦ୍ଦେଶ୍ୟ । ତେବେ କେନ୍ଦ୍ର ସରକାର ମଧ୍ୟ ଓଡିଶାର ଏହି ଚାଷକୁ ଆପଣେଇବା ପାଇଁ ଅନ୍ୟ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ କରିଛନ୍ତି ।
ପୃଷ୍ଟିକର ମାଣ୍ଡିଆରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତି ହେଉଛି । ଯଥା- ବିସ୍କୁଟ, ମିସ୍କଚର, ନିମିକି, ସେଓ, ପିଠା, ଛତୁଆ ଆଦି ଖାଦ୍ୟ । ଏହା ସ୍ୱାଦିଷ୍ଟ ହେବା ସହ ଶରୀର ପାଇଁ ହିତକର ମଧ୍ୟ । ତେବେ ମାଣ୍ଡିଆ ଉତ୍ପାଦନ ଓ ଏହାର ପ୍ରାଚାରକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏବେ ରାଜ୍ୟର ୧୯ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ମିଲେଟ ମିଶନ । ଏହି ମିଶନରେ ନିଆଯାଇଥିବା ପଦକ୍ଷେପକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି । ନୀତି ଆୟୋଗ ମଧ୍ୟ ଏହାକୁ ଏକାଧିକ ଥର ପ୍ରଶଂସା କରିଛନ୍ତି । ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ମିଟିଙ୍ଗ ଥିବା ବେଳେ ବା କ୍ୟାଣ୍ଟିନରେ ମାଣ୍ଡିଆ ପ୍ରସ୍ତୁତ ସ୍ନାକ୍ସ ଆଇଟମକୁ ଦିଆଯିବା ପାଇଁ ନିର୍ଦ୍ଦେଶ କରାଯାଇଛି ।