ପାଖ ପିଲାକୁ କପି ମିଳିବାରୁ ରାଗିଗଲେ ଛାତ୍ର, ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବାକୁ ଦେଲେ ଚେତାବନୀ

0

କେନ୍ଦ୍ରାପଡା : ଚାଲିଛି ଦଶମ ବୋର୍ଡ ପରୀକ୍ଷା । ସ୍ୱଚ୍ଛ ଓ ନିରପେକ୍ଷତାର ସହ ବିନା କପିରେ ପରୀକ୍ଷା ଶେଷ କରିବାକୁ ଲକ୍ଷ୍ୟ ରଖି ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହା ମାଟ୍ରିକ୍ ପରୀ କ୍ଷାର ଗୁମରକୁ ପଦାରେ ପକାଇବା ସହ ଜଣେ ଛାତ୍ରଙ୍କ ଜୀବନ ମଧ୍ୟ ବାଜିରେ ଲାଗିବାକୁ ଯାଉଛି । କପି କରିବାକୁ ବିରୋଧ ନେଇ ଜଣେ ଛାତ୍ର ଆତ୍ମହତ୍ୟା କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି । ପାଖ ପିଲାକୁ ସାର୍ କପି ଯୋଗାଇ ଦେଉଥିବା ଏବଂ ଛାତ୍ର ଜଣକୁ ମାନସିକ ନିର୍ଯାତନା ଦିଆଯିବାରୁ ତାଙ୍କ ପରୀକ୍ଷା ଖରାପ ହୋଇଥିବା ଅଭିଯୋଗ କରି ନ୍ୟାୟ ଦାବିରେ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହା ସହ ଯଦି ଦାବି ପୂରଣ ନହୁଏ ତେବେ ଆତ୍ମହତ୍ୟା କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।
ମିଳିଥିବା ସୂଚନାନୁସାରେ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଗାନ୍ଧିଜୀ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରୀକ୍ଷା ହଲ ଭିତରେ ଶିକ୍ଷକ ଜଣେ ପରୀକ୍ଷାର୍ଥୀଙ୍କୁ କପି ଯେଗାଇ ଦେଉଥିଲେ । ଏହା ଦେଖି ପାଖରେ ଥିବା ପରୀକ୍ଷାର୍ଥୀ ସିବୁ ଦାସ ଏହାକୁ ବିରୋଧ କରିଥିଲେ ଏବଂ ଏନେଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ଜଣାଇଥିଲେ, କିନ୍ତୁ କିଛି ଫଳ ମିଳିନଥିଲା । ସେ ଅଭିଯୋଗ କରିଛନ୍ତି ଯେ ପ୍ରଧାନ ଶିକ୍ଷକ ତାଙ୍କୁ ମାନସିକ ନିର୍ଯାତନା ଦେବାରୁ ସେ ପରୀକ୍ଷାରେ ୩୦ମାର୍କର ପାଠ ଲେଖି ପାରିନାହାନ୍ତି । ତେଣୁ ତାଙ୍କୁ ନ୍ୟାୟ ମିଳୁ ବୋଲି ସେ ଦାବି କରିଛନ୍ତି । ନ୍ୟାୟ ଦାବିରେ ସ୍କୁଲ ସାମ୍ନାରେ ଧାରଣା ଦେବା ସହ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଘଟଣା ପରେ ସେଠାରେ ପୋଲିସ୍ ଫୋର୍ସ ମଧ୍ୟ ମୁତ୍ତୟନ କରାଯାଇଛି । ତେବେ ଦେଖିବାକୁ ବାକି ରହିଲା ଏହି ପରୀକ୍ଷାର୍ଥୀଙ୍କୁ କେବେ ନ୍ୟାୟ ମିଳୁଛି ।