ଶସ୍ୟଶ୍ୟାମଳ ହେବ ମୟୂରଭଞ୍ଜ ; ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ

0

ମୟୂରଭଞ୍ଜ: ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଯାଉଛନ୍ତି। ଜିଲ୍ଲାରେ ସେ ଦିନ ୧୧ଟାରୁ ୧୨ଟା ଅର୍ଥାତ ଏକ ଘଣ୍ଟା ରହିବେ। ଗୋଟିଏ ମଞ୍ଚରୁ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଗସ୍ତର ଅବଧି ମାତ୍ର ଏକ ଘଣ୍ଟା ହେଲେ ବି ରାଜନୈତିକ ମହଲରେ ଏହାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ରାଷ୍ଟ୍ରପତି ନିର୍ବାଚନ ପରେ ମୟୂରଭଞ୍ଜ ଜିଲ୍ଲାକୁ ନେଇ ଯେଉଁ ରାଜନୈତିକ ଅଙ୍କ କଷା ଯାଉଥିଲା, ତାହାକୁ ନବୀନଙ୍କ ଗସ୍ତ ଓଲଟପାଲଟ କରିଦେବାର ଅନୁମାନ କରାଯାଉଛି। ମୟୂରଭଞ୍ଜର ୭ଟି ବ୍ଲକର ୬୪ଟି ଗାଁ ଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ୨୩ଟି ଗାଁର ଚାଷୀ ଉପକୃତ ହେବେ ।

ରାସଗୋବିନ୍ଦପୁର ବ୍ଲକ ଟିକପଦାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ୧୭ ହଜାର ୧୨୧ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ମୟୂରଭଞ୍ଜର ୧୧ ହଜାର ୬୮୮ ହେକ୍ଟର ଓ ବାଲେଶ୍ୱରର ୫,୪୩୩ ହେକ୍ଟର ଚାଷ ଜମି ଜଳସେଚିତ ହେବ । ପରେ ଦିନ ୧୧ଟା ୫୦ ସୁଦ୍ଧା କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ଦିନ ୧୨ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ସହିତ କାର୍ଯ୍ୟକ୍ରମ କିପରି ଶାନ୍ତି ଶୃଙ୍ଖଳାର ସହିତ ହେବ ସେ ନେଇ ଜିଲ୍ଲାପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।