ବହୁ ପ୍ରତୀକ୍ଷିତ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ

ସୁବର୍ଣ୍ଣପୁର ଜିଲ୍ଲାରେ ବହୁ ଦିନର ପ୍ରତୀକ୍ଷିତ ନୂତନ ଡିଏଚ୍ଏଚ୍(ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର)ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

0

(ସୋନପୁର / ଓମ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲାରେ ବହୁ ଦିନର ପ୍ରତୀକ୍ଷିତ ନୂତନ ଡିଏଚ୍ଏଚ୍(ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର)ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସହରର ଝୁପୁଡିପଡାସ୍ଥିତ ମହାନଦୀ କୂଳ ଏମ୍ସିଏଚ୍(ମାତୃ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର) ପାର୍ଶ୍ଵରେ ଡିଏଚ୍ଏଚ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଛି। ଠିକାସଂସ୍ଥା ଏଥିପାଇଁ ମାଟି ସମତଳ ସହ ଫାଉଣ୍ଡେସନ କାର୍ଯ୍ୟ ଆରମ୍ଭ କରିଛନ୍ତି। କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଗତି ହୋଇପାରିବ ବୋଲି ଜନସାଧାରଣ ଲୋକଙ୍କ ଚର୍ଚ୍ଚା ହେଉଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ଲାଗି ପ୍ରଶାସନିକ ଅନୁମୋଦନ ମିଳିବା ପରେ କୋଠା ଘର ନିର୍ମାଣ ପାଇଁ ୮୭ କୋଟି ୮୫ ଲକ୍ଷ ୩୦ ହଜାର ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା। ପୂର୍ବ ବିଭାଗ ଏହାର ଟେଣ୍ଡର ଆହ୍ଵାନ କରିଥିଲା। ଗୁରଗାଓଁର ଏମଏସ ସୋମ ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ଟେଣ୍ଡର ହାତେଇବା ସହ ୮୨କୋଟି ୧୪ଲକ୍ଷ ୨୬ହଜାର ଟଙ୍କାରେସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ପୂର୍ବ ବିଭାଗ ସହିତ ଚୁକ୍ତିନାମା କରିଛି। ୭ ମହଲା ବିଶିଷ୍ଟ କୋଠାରେ ୩୦୦ଶଯ୍ୟା ଓ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ରହିବ।

ରାଜାରାଜୁଡା ଅମଳରୁ ନିର୍ମିତ ପୁରାତନ କୋଠାରେ ଏବେବି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ରମ ଚାଲୁଅଛି।କାର୍ଯ୍ୟକ୍ଷମ ଅଛି। ସୁବର୍ଣ ପୁର ଜିଲ୍ଲା ବାସୀ ଓ ପଡୋଶୀ ବୌଦ୍ଧ ଜିଲ୍ଲାର ଲୋକ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ତେବେ ସ୍ଥାନାଭାବ ଯୋଗୁଁ ଉନ୍ନତମାନର ସ୍ବାସ୍ଥ୍ୟସେବା ଉପକରଣ ଓ ଆବଶ୍ୟକ ପାଥୋଲାବ୍ ବ୍ୟବସ୍ଥା ହୋଇପାରିନାହିଁ। ଶଯ୍ୟା ଅଭାବରୁ ପ୍ରସୂତି ମହିଳା ଓ ନବଜାତ ଶିଶୁମାନଙ୍କୁ ବାରଣ୍ଡାରେ ରଖି ଅସ୍ବାସ୍ଥ୍ୟକର ପରିବେଶରେ ଚିକିତ୍ସା କରିବାକୁ ପଡୁଛି।ଆବଶ୍ୟକତା କୁ ଦୁଷ୍ଟିରେ ରଖି ୨୦୧୭ ଜୁଲାଇ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଏଚଏଟ୍ର ଶିଳାନ୍ୟାସ କରିଥିଲେ। କିନ୍ତୁ ଜମି ସମସ୍ୟା ଓ ଅନୁଦାନ ନ ମିଳିବାରୁ କାମ ଆରମ୍ଭ ହୋଇ ପାରି ନ ଥିଲା । ୨୦୧୯ ମସିହାରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ୫–ଟି ସଚିବ ଭି.କେ ପାଣ୍ଡିଆନ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳୀନି ପଣ୍ଡିତ ପ୍ରମୁଖ ଜିଲ୍ଲା ଗସ୍ତରେ ଆସି ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ତଥାପି କାମ ଆରମ୍ଭ ହୋଇ ପାରି ନ ଥିଲା। ଏଥିପାଇଁ ଅନେକଥର ଉଚ୍ଚସ୍ତରୀୟ ସମୀକ୍ଷା ବି ହୋଇଥିଲା।