ବରଯାତ୍ରୀ ନେଇ ଯିବା ବେଳେ ଓଲଟିଲା ମିନିବସ

0

ଶିମଲା (ରିପୋର୍ଟର୍ସ ଟୁଡେ): ହିମାଚଳ ପ୍ରଦେଶ ସିରମୋରା ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବରଯାତ୍ରୀ ନେଇ ଯାଉଥିବା ଏକ ମିନିବସ ଗଭୀର ଖାଇକୁ ଓଲଟି ପଡିଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ବସରେ ଯାଉଥିବା ୧୨ ଜଣ ଯାତ୍ରୀମାନଙ୍କ ମଧ୍ୟରୁ ୧୦ ଜଣ ପ୍ରାଣ ହରାଇଛନ୍ତି । ୨ ଜଣ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ପୌଟା ସାହିବ ଏବଂ ଶିଲ୍ଲଇ ଉପମଣ୍ଡଳ ସୀମାବର୍ତ୍ତୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରେ ହିଁ ୯ ଜଣ ପ୍ରାଣ ହରାଇଥିଲେ । ତେବେ ଉଦ୍ଧାର କରି ସମସ୍ତଙ୍କୁ ଡାକ୍ତରଖାନା ନେବା ପରେ ସେଠାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିମାନଙ୍କୁ ପୌଟା ସାହିବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ ହୋଇଥିବା କହିଛନ୍ତି ପୌଟା ସାହିବ ଏଡିଏମ ବିବେକ ମହାଜନ ।
ଦୁର୍ଘଟଣା ବିଷୟରେ ଜାଣିବା ପରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ରିଲିଫ ଫଣ୍ଡରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଗୁରୁତରଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ମଧ୍ୟ ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେବା ସହ ଗୁରୁତରମାନଙ୍କ ଆଶୁ କାମନା କରିଛନ୍ତି ।