ଯେତେ ଖୋଳିଲେ ସେତେ ବାହାରୁଛି କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି: ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରେ ଲୁଚାଇଥିଲେ ଟଙ୍କା

0

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭଞ୍ଜନଗର କୋଟିପତି ସରକାରୀ ବାବୁ । ଭିଜିଲାନ୍ସ ବିଭାଗର ଚଢ଼ାଉ ପରେ ମିଳିଛି ଏହି କୋଟିପତି ସରକାରୀ ବାବୁଙ୍କ ଘରୁ ଆଖି ଖୋସି ହେଲା ଭଳି ସମ୍ପତ୍ତି । ଅସାଧୁ ଉପାୟରେ ଜଣେ ସହକାରୀ ଯନ୍ତ୍ରୀ କେତେ ଉପୁରି କମାଇ ପାରନ୍ତି ତାହାର ଜୀବନ୍ତ ଉଦାହରଣ ହେଉଛନ୍ତି କାର୍ତ୍ତିକେଶ୍ୱର ରାଉଳ ।ଘଟଣାରେ କୋଟିପତି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ପତ୍ନୀ କଳ୍ପନା ପ୍ରଧାନ, ଶାଳୀ ଉର୍ବଶୀ ପ୍ରଧାନ ଓ ପୁତୁରାଙ୍କୁ ଭିଜିଲାନ୍ସ ଅଟକ ରଖିଛି । ତିନି ଜଣଙ୍କୁ ଅଟକ ରଖି କାର୍ତ୍ତିକେଶ୍ୱରଙ୍କ ସହ ଏହି ୩ ଜଣଙ୍କୁ ମୁହାଁମୁହିଁ ଜେରା କରାଯାଉଛି । ଗତକାଲି ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଘରୁ ୨କୋଟିରୁ ଅଧିକ ଟଙ୍କା ଜବତ ହୋଇଥିଲା । ଆଜି ସକାଳେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ ଅର୍ଥାତ କାର୍ତ୍ତିକେଶ୍ୱରଙ୍କ ଶାଳୀଙ୍କ ଘରୁ ୧ କୋଟି ୪୧ ଲକ୍ଷ ୬୨ ହଜାର ୪୦୦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଭୁବନେଶ୍ୱର ସାଲିଆ ସାହିରେ ଥିବା ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରେ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହାକୁ ମିଶାଇଲେ ରାଉଳଙ୍କର ଠାବ ହୋଇଥିବା ନଗଦ ଟଙ୍କା ପରିମାଣ ହେଉଛି ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା ।

କୋଟିପତି ସରକାରୀ ବାବୁଙ୍କ ଘରେ ଚଢ଼ାଉରୁ ନଗଦ ୧ କୋଟି ୪୧ ଲକ୍ଷ ୬୨ ହଜାର ୪୦୦ ଟଙ୍କା, ୩୫୪ ଗ୍ରାମର ସୁନା, ପୋଖରୀପୁଟସ୍ଥିତ କେଶରୀ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ଼ଠାରୁ କିଣିଥିବା ଏକ ଟ୍ରିପ୍ଲେକ୍ସ ଘରର କାଗଜପତ୍ରର ସନ୍ଧାନ ମିଳିଛି । ଏଥି ସହ ରାଜଧାନୀର ପୋଖରୀପୁଟରେ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କର ଗୋଟିଏ ଟ୍ରିପଲେକ୍ସ ଠାବ ହୋଇଛି । ସେପଟେ ତଦନ୍ତ ଚାଲିଥିବାରୁ ପୁଣି ଅଧିକ ସମ୍ପତ୍ତି ଠାବ ହୋଇପାରେ ବୋଲି କୁହାଯାଇଛି ।ସୂଚନା ଅନୁଯାୟୀ ଚଢ଼ାଉର ପ୍ରଥମ ଦିନରେ ରାଉଳଙ୍କ ଖଣ୍ଡଗିରି ଜାଗମରାରେ ଦୁଇ ମହଲା କୋଠା, ଡୁମୁଡୁମା ତୁଷ୍ଟି ରେସିଡେନ୍ସିରେ ୩-ବିଏଚକେ ଫ୍ଲାଟ୍, କସମୋପଲିସିରେ ୨ ବିଏଚକେ ଫ୍ଲାଟ୍, ଭୁବନେଶ୍ୱରରେ ଦୁଇଟି ଏବଂ ଖଲ୍ଲିକୋଟରେ ୫ ଟି ଜମି, ୩୭ ଲକ୍ଷ ୨୩ ହଜାର ଟଙ୍କାର ବ୍ୟାଙ୍କ ଜମା ରାଶି ଏବଂ ବୀମା ପଲିସି, ନଗଦ ୨ ଲକ୍ଷ ୫୦ ହଜାର ଟଙ୍କା ମିଳିଥିଲା ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହିକି ଯେ ଏହି କୋଟିପତି ସରକାରୀ ବାବୁ ଭିଜିଲାନ୍ସ ବିଭାଗର ନଜର ହଟାଇବା ପାଇଁ ସାଲିଆସାହି ହାତିଆଶୁଣି ବସ୍ତିର ଏକ ଝୁମ୍ପୁଡ଼ି ଘରେ ରହି ନିର୍ମାଣ ଶ୍ରମିକ ଭାବେ କାମ କରୁଥିବା ତାଙ୍କ ଶାଳୀଙ୍କ ଘରେ ଏହି ଟଙ୍କା ଲୁଚାଇ ରଖିଥିଲେ । ଆଜି ସକାଳୁ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଏକ ବ୍ୟାଗ୍ ରୁ ବିଡ଼ା ବିଡ଼ା ଟଙ୍କା ଜବତ କରିଛି ।ଅନ୍ୟପକ୍ଷେ, ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଗତକାଲି ଭିଜିଲାନ୍ସ ବିଭାଗ ଗିରଫ କରିଥିଲା । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ୍ ହାଜତରେ ପଶିଛନ୍ତି ଏହି କୋଟିପତି ବିଭାଗୀୟ ଯନ୍ତ୍ରୀ। ଦୁଇଦିନ ଧରି ଚଢ଼ାଉରେ ତାଙ୍କର ୫ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । ଯାହା ତାଙ୍କ ଆୟଠାରୁ ୭୪୧ ଗୁଣା ଅଧିକ ବୋଲି ଭିଜିଲାନସ୍ ପକ୍ଷରୁ କୁହାଯାଇଛି ।

ଏହି କୋଟିପତି ସରକାରୀ ବାବୁଙ୍କ କଳାଧନ ଲୁଚାଇବା ପାଇଁ ଅନ୍ୟ ଏକ ଆଡ୍ଡା ପାଲଟିଥିଲା ଦ୍ୱିତୀୟ ପତ୍ନୀଙ୍କ ଘର ।କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନ କଳିଙ୍ଗବିହାରସ୍ଥିତ ଟାଟା ଆରିଆନା ଫ୍ଲାଟ୍ ରୁମ୍ ନଂ ୦୫୦୫ରେ ରହୁଛନ୍ତି।ତେବେ ସରକାରୀ ବାବୁଙ୍କୁ ଅଫିସ୍ ରୁ ଯାହା ମୋଟା ଅଙ୍କର ଉପୁରି ମିଳୁଥିଲା ତାହା ଆଣି ଏହି ଦ୍ୱିତୀୟ ପତ୍ନୀଙ୍କ ପାଖରେ ଠୁଳ କରୁଥିଲେ । ଗତ ୭ ତାରିଖ ଭିଜିଲାନ୍ସ ବିଭାଗର ଏକ ଟିମ୍ ଏହି ଘରେ ଚଢ଼ାଉ କରି ଗୋଟିଏ ବ୍ୟାଗ୍ ରେ ୨ କୋଟିରୁ ଅଧିକ ନଗଦ ଟଙ୍କା ସହ ୫୮୦ ଗ୍ରାମ ଓଜନର ୨୦ ଟି ସୁନା ବିସ୍କୁଟ୍ ଜବତ କରିଥିଲା ।ତେବେ ଆହୁରି ଅଧିକ କଳାଧନ ମାରି ରଖିଥିବା ସନ୍ଦେହ ଭିଜିଲାନ୍ସ ବିଭାଗ କଳ୍ପନାଙ୍କୁ ଜେରା କରାଯାଇଥିଲା । ଏହି ଜେରା ବେଳେ କଳ୍ପନା ସାଲିଆ ସାହିରେ ରହୁଥିବା ଭଉଣୀ ଘରର ଠିକଣା ଭିଜିଲାନ୍ସ ସାମ୍ନାରେ ବଖାଣି ଦେଇଥିଲେ ।