କଣିହାଁ /ଜ୍ୟୋତିରଞ୍ଜନ ଧର: ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କାନ ଫୁଲ ଓ ସୁନା ଚେନ ଲୁଟ ପରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ କୁକୁଡୁଲା ଗ୍ରାମର ୭୦ ବର୍ଷୀୟା ବୃଦ୍ଧା ରଙ୍ଗବତୀ ପ୍ରଧାନ ତାଙ୍କ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ତେବେ ବହୁ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବା ଦେଖି ପରିବାର ଲୋକମାନେ ଖୋଜିବାକୁ ଯାଇଥିଲେ । ଖୋଜାଖୋଜି ବେଳେ ପୋଖରୀ ହୁଡାରେ ତାଙ୍କର ମୃତଦେହ ମିଳିଥିଲା । ରଙ୍ଗବତୀଙ୍କୁ କେହି ଦୁର୍ବୃତ୍ତ ଜୀବନରୁ ମାରିବା ସହିତ ତାଙ୍କର ସୁନାଚେନ ଓ କାନଫୁଲ ନେଇ ଫେରାର ହୋଇ ଯାଇଥିଲା । ତାଙ୍କ କାନ ଛିଣ୍ଡି ରକ୍ତ ବାହାରୁଥିବା ଅବସ୍ଥାରେ ତାଙ୍କ ମୃତ ଦେହ ମିଳିଥିଲା । ଏ ନେଇ ପରିବାର ଲୋକେ ତାଳଚେର ସଦର ଥାନାରେ ଅଭିଯୋଗ କଲାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଛାନଭିନ୍ କରୁଛି ।