ବଲାଙ୍ଗୀରରେ ମିସନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

0

(ରିପୋର୍ଟସ ଟୁଡ଼େ)ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ପଥରଚପାଠାରେ ଆୟୋଜିତ ମିସନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି । ସେଠାରେ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ‘ମୁଁ ବହୁତ ଖୁସି, ଆପଣମାନେ ଖୁସି ତ?’ କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ ନବୀନ। ଏହାପରେ ମିସନ ଶକ୍ତିରେ ସଶକ୍ତ ହୋଇଥିବା ମହିଳାମାନଙ୍କୁ ସେମାନଙ୍କୁ ସଫଳତା ସକାଶେ ଅଭିନନ୍ଦନ ଜଣାଇବା ସହ କାର୍ୟ୍ୟକ୍ରମରେ ସାମିଲ୍ ହୋଇଥିବା ଅଗଣିତ ମହିଳାଙ୍କୁ ଧନ୍ୟବାଦ ଜଣାଇଥିଲେ ସେ।
୨୦୦୧ ମସିହାରେ ଆରମ୍ଭ ହୋଇଥିବା ଏହି କାର୍ୟ୍ୟକ୍ରମ ଏବେ ୧୮ ବର୍ଷ ମଧ୍ୟରେ ଅନେକ ମହିଳାଙ୍କୁ ରୋଜଗାର କ୍ଷମ କରାଇଛି । ଆଜି ୭୦ ଲକ୍ଷ ମହିଳା ସଶକ୍ତ। ସେମାନଙ୍କୁ ରାଜ୍ୟ ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ, ଡିଜିଟାଲ୍ ସଶକ୍ତିକରଣ ସହାୟତା, ବ୍ଲକସ୍ତରୀୟ ମହାସଂଘ ପାଇଁ ସହାୟତା ପ୍ରଦାନ କରୁଛନ୍ତି। ପ୍ରତି ପଞ୍ଚାୟତରେ ମିସନ ଶକ୍ତି ଗୃହ ନିର୍ମାଣ ଆଦି ହୋଇପାରିଛି।

ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ମିସନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍ ମୁଖ୍ୟମନ୍ତ୍ରୀ ନବୀନଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ରାଜ୍ୟର ଅସଂଖ୍ୟ ମହିଳା ମିସନ ଶକ୍ତି ପାଇଁ ନିଜ ପରିଚୟ ପାଇଛନ୍ତି ବୋଲି ସେ କହିଥିଲେ।