ଓଟିଟିରେ ପ୍ରଦର୍ଶିତ କଣ୍ଟେଟର ସ୍କ୍ରିନିଂ ହେଉ: ସୁପ୍ରିମ କୋର୍ଟ

0

ନୂଆଦିଲ୍ଲୀ: ଓଭର ଦ ଟପ (ଓଟିଟି)କୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମ କୋର୍ଟ । ଆଜି ଏହି ମାମଲାର ଶୁଣାଣି ବେଳେ ବିଚାରପତି ଜଷ୍ଟିସ ଅଶୋକ ଭୂଷଣ ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ କଣ୍ଟେଟର ସ୍କ୍ରିନିଂର ଆବଶ୍ୟକତା ଥିବା କହିଛନ୍ତି । ଫିଲ୍ମ ସମୀକ୍ଷା ସେନସର ବୋର୍ଡ ପରି ଓଟିଟି ପ୍ଲାଟଫର୍ମର ଏକ ସେନସର ବୋର୍ଡ ଜରୁରୀ ବୋଲି କୋର୍ଟ କହିଛନ୍ତି ।
ୱେବ ସିରିଜ ତାଣ୍ଡବ ବିରୋଧରେ ହୋଇଥିବା ତଦନ୍ତରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଆମାଜନ ଇଣ୍ଡିଆର ପ୍ରମୁଖ ଅପର୍ଣ୍ଣା ପୁରୋହିତ ଏକ ଆବେଦନ କରିଥିଲେ । ଏହାର ଶୁଣାଣି କରି ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପୀଠ କହିଛନ୍ତି, ଇଣ୍ଟରନେଟ୍ ଓ ଓଟିଟି ଉପରେ ସିନେମା ଦେଖିବା ସାଧାରଣ କଥାରେ ପରିଣତ ହୋଇ ସାରିଛି। ଏପରିକି ଏହି ପ୍ଲାଟଫର୍ମରେ ପୋର୍ଣ୍ଣଗ୍ରାଫି ମଧ୍ୟ ପ୍ରଦର୍ଶିତ କରାଯାଉଛି। ପୀଠ ସଲିସିଟର ଜେନେରାଲ ତୁଷାର ମେହଟ୍ଟାଙ୍କୁ ସାମାଜିକ ଗଣମାଧ୍ୟମ ପାଇଁ ଜାରି ମାର୍ଗଦର୍ଶିକାକୁ ଉପସ୍ଥାପନ କରିବାକୁ କହିଛନ୍ତି।
କୋର୍ଟ କହିଛନ୍ତି, କିଛି ଓଟିଟି ପ୍ଲାଟଫର୍ମରେ ଅଶ୍ଲୀଳ ଭିଡିଓ ପ୍ରସାରଣ ହେଉଛି । ତେଣୁ ଏହାର ପ୍ରଦର୍ଶନ ପୂର୍ବରୁ ସ୍କ୍ରିନିଂ ହେବା ଦରକାର । ଏନେଇ କୋର୍ଟ ସରକାରଙ୍କୁ ସାମାଜିକ ଗଣମାଧ୍ୟମ ରେଗୁଲେସନକୁ ନେଇ ପ୍ରସ୍ତୁତ ଗାଇଡଲାଇନ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।