ସମ୍ବଲପୁର ଓ ବଲାଙ୍ଗୀରରେ ପ୍ରତିଷ୍ଠା ହେବା ୨ ନୂଆ ଆଇଟିଆଇ

ଉପକୃତ ହେବେ ହଜାର ହଜାର ଯୁବବର୍ଗ

0

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ ଦୁଇଟି ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଥିପାଇଁ ପଶ୍ଚିମ ଓଡି଼ଶାର ଜନଜାତି ବହୁଳ ଅଞ୍ଚଳର ଯୁବବର୍ଗ ବିଶେଷ ଭାବେ ଉପକୃତ ହେବେ। ନୂଆ ସରକାରୀ ଆଇଟିଆଇ ପ୍ରତିଷ୍ଠା ପରେ କୁଚିଣ୍ଡା, ବାମରା ଓ ଜମନକିରା ବ୍ଲକର ଯୁବବର୍ଗ ଉପକୃତ ହେବେ। ୪ଟି ଟ୍ରେଡରେ ୨୪୦ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯିବ। ତେବେ ସମ୍ବଲପୁର ଜିଲ୍ଲାର ଆଖପାଖ ଅଞ୍ଚଳରେ ଅନେକ ଶିଳ୍ପାନୁଷ୍ଠାନ ଗଢି ଉଠୁଥିବାରୁ ପ୍ରଶିକ୍ଷାର୍ଥୀଙ୍କ ପାଇଁ ବିପୁଳ ନିଯୁକ୍ତି ଓ ଆତ୍ମନିଯୁକ୍ତି ଲାଗି ସୁଯୋଗ ସୃଷ୍ଟି ହେବ। ସେହିପରି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଠାରେ ମଧ୍ୟ ଏକ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ପ୍ରତିଷ୍ଠା ହେବ। ଏଠାରେ ମଧ୍ୟ ୪ଟି ଟ୍ରେଡରେ ୨୪୦ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରାଯିବ। ବୈଷୟିକ ଶିକ୍ଷା ଦ୍ୱାରା ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଆତ୍ମନିଯୁକ୍ତି ଓ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଇଛି। ରାଜ୍ୟରେ ୩୧୪ଟି ବ୍ଲକରେ ୨୫୧ଟି ସରକାରୀ ଓ ବେସରକାରୀ ଶିଳ୍ପ ତାଲିମ କେନ୍ଦ୍ର ରହିଛି। ୫୮ଟି ସବଡିଭିଜନରେ ୪୮ଟି ସରକାରୀ ଆଇଟିଆଇ ରହିଛି। ପାଟଣାଗଡ ଓ କୁଚିଣ୍ଡାରେ ଆଇଟିଆଇ ପ୍ରତିଷ୍ଠା ପରେ ଏହି ସଂଖ୍ୟା ୫ଠକୁ ବୃଦ୍ଧି ପାଇବ। ତେବେ ରାଜ୍ୟର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ଓ ନିଯୁକ୍ତି ପ୍ରଦାନ କରିବା ଲାଗି ସରକାରୀ ଆଇଟିଆଇ ପ୍ରତିଷ୍ଠା କରାଯାଇଛି। ଆଇଟିଆଇ କୋର୍ସ ସାରିବା ପରେ ଯୁବକ ଯୁବତୀମାନେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟ କରିଥାନ୍ତି।