ଶାଶୂଘର ନିର୍ଯାତନା ସହି ନପାରି ଜୀବନ ହାରିଲେ ନବବଧୂ

କ୍ୟାନ୍‌ସର ସନ୍ଦେହରେ ଘରୁ ବାହାର କରିଦେଲେ ଶାଶୁ ଘର ଲୋକେ

0

ଭୁବନେଶ୍ବର: ଶାଶୂଘର ନିର୍ଯାତନା ସହି ନପାରି ଜୀବନ ହାରିଲେ ନବବଧୂ । ବାହାଘରର ମାତ୍ର ୧୨ ଦିନ ଭିତରେ କ୍ୟାନସର ହୋଇଛି କହି ବୋହୂକୁ ତା’ ବାପ ଘରକୁ ପଠାଇ ଦେଲେ ଶାଶୁ ଘର ଲୋକେ। କିନ୍ତୁ ପରେ ଜଣାପଡ଼ିଲା ତାଙ୍କୁ କ୍ୟାନସର ହୋଇ ନଥିଲା। କେବଳ ତାଙ୍କ ଦାନ୍ତରେ ସମସ୍ୟା ଥିଲା, ଯାହା ଏକ ସାମାନ୍ୟ ସର୍ଜରୀ ପରେ ଭଲ ହୋଇଯାଇଥିଲା। ଏହା ଜାଣିବା ସତ୍ତ୍ୱେ ଶାଶୁ ଘର ଲୋକେ ଆଉ ଧରାଛୁଆଁ ଦେଇ ନଥିଲେ। ଓଲଟି ମଧ୍ୟସ୍ଥିକୁ ଡାକି ବୋହୂକୁ ସେମାନେ ଆଉ ଘରକୁ ଆଣିବେ ନାହିଁ ବୋଲି ସଫା ସଫା କହି ଦେଇଥିଲେ। ଏ କଥା ନବବଧୂ ଜାଣିବା ପରେ ଭାଇର ଭଡ଼ା ଘରେ ବେକରେ ରଶି ଲଗାଇ ହାରିଦେଲେ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବର ମଞ୍ଚେଶ୍ବର ଥାନା ଜିଜିପି କାଲୋନୀରେ । ମୃତା ନବବଧୂ ହେଲେ ପ୍ରଜ୍ଞା ପାରମିତା ସ୍ବାଇଁ । ପ୍ରଜ୍ଞାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି । ୨୦୨୨ ଜୁନ ୮ ତାରିଖରେ ବିବାହ କରିଥିଲେ ପ୍ରଜ୍ଞା ।

ପଟିଆରେ ରହୁଥିବା ପ୍ରଶାନ୍ତ ପାତ୍ରଙ୍କ ସହ ପ୍ରଜ୍ଞାଙ୍କ ବିବାହ ହୋଇଥିଲା । କ୍ୟାନସର ସନ୍ଦେହରେ ପ୍ରଜ୍ଞାଙ୍କୁ ଶାଶୂଘର ଲୋକ ଘରୁ ବାହାର କରି ଦେଇଥିଲେ । କିନ୍ତୁ କ୍ୟାନସର ନୁହେଁ, ତାଙ୍କର ଦାନ୍ତବିନ୍ଧା ହେଉଥିବା ପରେ ଜଣାପଡ଼ିଥିଲା । ମାନସିକ ଚିନ୍ତାରେ ବେକରେ ରଶି ଲଗାଇ ପ୍ରଜ୍ଞା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପ୍ରଜ୍ଞାଙ୍କ ଠାରୁ ତାଙ୍କ ଶାଶୁ ଘର ଲୋକେ ଦୂରତା ବଢ଼ାଇ ଦେଇଥିଲେ। ସେମାନେ ପ୍ରଜ୍ଞାଙ୍କ ଫୋନ୍ ଉଠାଉ ନଥିଲେ। ଏମିତିକି ତାଙ୍କ ନମ୍ବରକୁ ବ୍ଲକ୍ ଲିଷ୍ଟରେ ପକାଇ ଦେଇଥିଲେ। ଏଥିଯୋଗୁ ପ୍ରଜ୍ଞା ମାନସିକ ଚାପରେ ଥିଲେ। ତେବେ କିଛି ଦିନ ତଳେ ପ୍ରଜ୍ଞାଙ୍କ ଶାଶୁ ଘର ଲୋକେ ବାହାଘର ପାଇଁ ମଧ୍ୟସ୍ଥି ସାଜିଥିବା ସୁକାନ୍ତ ସେଠୀଙ୍କୁ ସେମାନଙ୍କ ପଟିଆ ସ୍ଥିତ ଘରକୁ ଡକାଇଥିଲେ। ସେମାନେ ଆଉ ପ୍ରଜ୍ଞାକୁ ଗ୍ରହଣ କରିବେ ନାହିଁ ବୋଲି ତାଙ୍କୁ କହିଥିଲେ। ଏହି ଖବର ପାଇବା ପରେ ପ୍ରଜ୍ଞା ବିଷାଦଗ୍ରସ୍ତ ହୋଇଥିଲେ। ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସେଥିପାଇଁ ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ପାଇଁ ତାଙ୍କ ଶାଶୁ ଘର ଲୋକମାନେ ହିଁ ଦାୟୀ ବୋଲି ପ୍ରିୟବତ ସ୍ୱାଇଁ ତାଙ୍କ ଏତଲାରେ ଦର୍ଶାଇଛନ୍ତି।