ୟୁଟର୍ଣ୍ଣ ମାରିଲେ ନୀତିଶ କୁମାର

0

 ପାଟନା: ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାରୀ ବାସଭବନରେ ବିଧାୟକ ଦଳର ବୈଠକ ବସିଥିଲା । ବୈଠକ ପରେ ପରେ ମେଣ୍ଟ ଭଙ୍ଗ କଥା ଘୋଷଣା ହୋଇଥିଲା । ବିହାରରେ ଦ୍ରୁତଗତିରେ ବଦଳୁଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ଲାଲୁ ଯାଦବଙ୍କ ଝିଅ ରୋହିଣି ଆଚାର୍ଯ୍ୟ କରିଥିବା ଏକ ଟ୍ୱିଟ୍ ନୀତିଶ ଓ ତେଜସ୍ୱୀ ହାତ ମିଳାଉଥିବା ଖବରକୁ ପକ୍କା କରିଛି ।

ମେଣ୍ଟ ଭଙ୍ଗର କିଛି ସମୟ ପୂର୍ବରୁ ରୋହିଣୀ ଟ୍ୱିଟ୍ କରିଥିଲେ ଯେ, ‘‘ରାଜତିଲକ କି କରୋ ତୟାରୀ,ଆ ରହୈ ହୈଁ ଲାଲଟେନଧାରୀ’’ତେବେ ଏ ଟ୍ୱିଟ୍ପରେ ସନ୍ଦେହ କଥାଟି ଏକଦମ ସତ ବୋଲି ପ୍ରମାଣିତ ହୋଇଗଲା | ସବୁଥର ଭଳି ଏଥର ମଧ୍ୟ ଠିକ୍ ମୌକାରେ ନୀତିଶ କୁମାର ୟୁଟର୍ଣ୍ଣ ମାରିଛନ୍ତି ।  ଗୋଟେ ଦଳ ଛାଡି ଆଉ ଗୋଟେ ଦଳର ହାତ ଧରିଛନ୍ତି ନୀତିଶ | ଏହା ସହିତ ବିହାର ରାଜନୀତିରେ ଆରମ୍ଭ ହୋଇଛି ମୌକାବାଜିର ଆଉ ଏକ ଅଧ୍ୟାୟ |

ବିଜେପିର ହାତ ଛାଡିଲା ଜେଡିୟୁ। ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ। ବିଧାୟକଙ୍କ ସହ ବୈଠକ ପରେ ଘୋଷଣା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ମଙ୍ଗଳବାର ସକାଳୁ ବିହାରରେ ରାଜନୈତିକ ହଲଚଲ ଜାରି ରହିଥିଲା। ଯେକୌଣସି ସମୟରେ ବି ବିଜେପି ସହିତ ଜେଡିୟୁ ମେଣ୍ଟ ଭାଙ୍ଗିବା ଘୋଷଣ ହେବ ବୋଲି କୁହାଯାଉଥିଲା। ଏହାରି ଭିତରେ ବିଜେପି ଓ ଜେଡିୟୁ ଅଲଗା ହୋଇଥିବା ଖବର ସାମ୍ନାକୁ ଆସିଛି।

ଜେଡିୟୁ ନିଜ ଆଡୁ ଭାରତୀୟ ଜନତା ପାର୍ଟି ସହ ନିଜର ମେଣ୍ଟ ଭଙ୍ଗ କରିଛି। ନୀତୀଶ କୁମାର ଏବେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେବେ। ଏହାପୂର୍ବରୁ ସେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ।ଏହାପରେ ସେ ମହାମେଣ୍ଟର ସମର୍ଥନରେ ସରକାର ଗଠନ କରିବେ ବୋଲି କୁହାଯାଉଛି । ନୀତିଶଙ୍କୁ ଆରଜେଡି ଓ କଂଗ୍ରେସ ସମର୍ଥନ ଦେବା ପ୍ରାୟତଃ ନିଶ୍ଚିତ ହୋଇଯାଇଛି ।