ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

0

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି। ଫଳରେ ବିହାରର ୨୦ ମାସର ଏନଡିଏ ସରକାରର ପତନ ଘଟିଛି । ଇସ୍ତଫା ଦେବା ପରେ ଦଳର ବିଧାୟକ ଓ ସାଂସଦମାନେ ଏନଡିଏ ଛାଡିବାକୁ କହିବାରୁ ମୁଁ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଲି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେପଟେ ରାଜ୍ୟପାଳ ଫଗୁ ଚୌହାନଙ୍କୁ ନୂଆ ସରକାର ଗଠନ ଲାଗି ଦାବି କରିଛନ୍ତି। ତାଙ୍କ ନିକଟରେ ୧୬୦ ବିଧାୟକଙ୍କ ସମର୍ଥନ ରହିଥିବା ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି। ସେପଟେ ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହା ବିହାରବାସୀଙ୍କୁ ଧୋକା ବୋଲି ବିହାରର ବିଜେପି ସଭାପତି କହିଛନ୍ତି। ସେପଟେ ନୀତିଶ ତେଜସ୍ୱୀ ଯାଦବଙ୍କ ସହିତ ରାବ୍ରି ଦେବୀଙ୍କ ବାସଭବନରେ ବୈଠକ କରିଥିଲେ। ତେବେ ବିହାରରେ ଜେଡିୟ. ଆରଜେଡି, କଂଗ୍ରେସ ଓ ବାମପନ୍ଥୀ ଦଳକୁ ନେଇ ମହାଗଠବନ୍ଧନ ସରକାର ଗଠନ ହେବା ନେଇ ସ୍ପଷ୍ଟ ହୋଇ ଯାଇଛି।
ବିହାର ରାଜନୈତିକ ଇତିହାସକୁ ଦେଖିଲେ ପ୍ରଥମେ ବିଜେପି ସହିତ ମେଣ୍ଟ କରି ୨୦୦୫ରେ ନୀତିଶ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦ୍ୱିତୀୟ ଥର ଲାଗି ୨୦୧୦ରେ ମଧ୍ୟ ବିଜେପି ସହିତ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ବିରୋଧ କରି ବିଜେପି ସହିତ ସମ୍ପର୍କ ଛିନ୍ନ କରିବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପରେ ୨୦୧୫ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଆରଜେଡି ସହିତ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଆରଜେଡି ସହିତ ମତଭେଦ କାରଣରୁ ୨୦୧୭ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପୁଣିଥରେ ବିଜେପି ସହିତ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ଗତ ୨୦୨୦ ବିଧାନସଭା ନିର୍ବାଚନ ସମୟରେ ବିଜେପି ସହିତ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ପୁଣି ଥରେ ବିଜେପି ସହିତ ମତଭେଦ କାରଣରୁ ଅଗଷ୍ଟ ୯, ୨୦୨୨ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
ଗତ ୨୦୨୦ ବିଧାନସଭା ନିର୍ବାଚନରେ ଜେଡିୟୁକୁ ୪୩ ଆସନ ପାଇଥିବାବେଳେ ବିଜେପିକୁ ୭୪ ଆସନ ଆରଜେଡିକୁ ୭୫ ଆସନ, କଂଗ୍ରେସକୁ ୧୯ଟି ଆସନ, ବାମଦଳକୁ ୧୨ଟି ଆସନ ମିଳିଥିଲା। ତେବେ ବିହାର ବିଧାନସଭାରେ ମୋଟ ୨୪୩ ଆସନ ରହିଛି। ସରକାର ଗଢିବାକୁ ୧୨୩ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ତେଣୁ ନୀତିଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ପଷ୍ଟ ହୋଇଯାଇଛି।