ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

ତେଜସ୍ୱୀ ହେଲେ ଉପମୁଖ୍ୟମନ୍ତ୍ରୀ

0

ପାଟନା: ବିହାରର ମୁଖମନ୍ତ୍ରୀ ଭାବେ ନୀତିଶ କୁମାର ଅଷ୍ଟମ ଥର ଲାଗି ଶପଥ ନେଇଛନ୍ତି। ଏଥିସହ ଆରଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅପରାହ୍ନ ୨ଟା ସମୟରେ ରାଜ୍ୟପାଳ ଫଗୁ ଚୌହାନଙ୍କ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ବିଜେପି ଠାରୁ ଦୂରେଇ ଯିବା ପରେ ନୀତଶ ସାତଟି ଦଳର ମହାଗଠବନ୍ଧନ ସହ ସରକାର ଗଢିଛନ୍ତି। ଯେଉଁଥିରେ ଆରଜେଡି, କଂଗ୍ରେସ, ବାମପନ୍ଥୀ ଭଳି ଅନ୍ୟାନ୍ୟ ଦଳ ରହିଛନ୍ତି। ଗତକାଲି ଏନଡିଏ ମିଳିତ ମଞ୍ଚର ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଇଥିଲେ। ତେବେ ମହାଗଠବନ୍ଧନର ୧୬୪ ବିଧାୟକଙ୍କ ସମର୍ଥନ ତାଲିକା ରାଜ୍ୟପାଳଙ୍କ ନିକଟରେ ଦାଖଲ କରିଥିଲେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାବ୍ରି ଦେବୀଙ୍କ ଘରକୁ ଯାଇ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ନୂଆ ସରକାର ଗଠନ ନେଇ ଆଲୋଚନା କରିଥିଲେ। ୨୪୨ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ମ୍ୟାଜିକ ନମ୍ବର ହେଉଛି ୧୨୨। ଯାହା ନୀତିଶ ହାସଲ କରିସାରିଛନ୍ତି। ସଂପ୍ରତି ଜେଡିୟୁର ସ୍ୱାଧୀନ ସଦସ୍ୟଙ୍କୁ ମିଶାଇ ୪୫, ଆରଜେଡିର ୭୯, କଂଗ୍ରେସର ୧୯, ବାମପନ୍ଥୀ ଦଳର ୧୯ ଜଣ ବିଧାୟକ ରହିଛନ୍ତି। କିଛି ଦିନ ହେଲା ବିଜେପି ଓ ଜେଡିୟୁ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଫଳରେ ନୀତିଶ ମେଣ୍ଟ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଜେଡିୟୁକୁ ବିଜେପି ଦୁଇ ଭାଗ କରିବାକୁ ଚାହୁଁଥିବା ନୀତିଶ ହୃଦୟଙ୍ଗମ କରିଥିଲେ। ତେବେ ଜେଡିୟୁ ନେତା ଆରପି ସିଂହ ଦଳରୁ ଇସ୍ତଫା ଦେଇ ନୀତିଶଙ୍କ ବିରୁଦ୍ଧରେ ବିଷୋଦଗାର କରିଥିଲେ। ଏହଛଡା ନୀତିଶ ବିଶ୍ୱାସ କରନ୍ତି ଯେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଜେଡିୟୁକୁ ଭାଗ କରିବା ପାଇଁ ନିରନ୍ତର କାର୍ଯ୍ୟକରୁଛନ୍ତି। ଆରପି ସିଂଙ୍କୁ ଅମିତ ଶାହା ଜେଡିୟୁଙ୍କୁ ଭାଙ୍ଗିବା ପାଇଁ ବ୍ୟବହାର କରରୁଥିବାର ଅଭିଯୋଗ କରିଆସୁଥିଲେ। ସେପଟେ ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦି କହିଛନ୍ତି ଯେ ଆମର ଅଧିକ ସିଟ ଥିଲେ ସୁଦ୍ଧା ଆମେ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ନୀତିଶ ଆମ ସହ ବିଶ୍ୱାସଘାତକତା କରିଥିବା କହିଥିଲେ। ଆଗକୁ ନୀତିଶଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି କହିଥିଲେ।