ପ୍ରଧାନଙ୍କ ପୁନଃ ପ୍ରବେଶ ଉପରେ କଡା କଟକଣା

0

ଭୁବନେଶ୍ୱର: ରିପୋର୍ଟରସ୍ ଟୁଡେର  ମହାପ୍ରଭାବ । ଦୁର୍ନୀତି ଗଡରୁ ଦୁର୍ନୀତିର ବାଦସାହଙ୍କୁ ବିତାଡିତ କରିବା ପରେ ପୁନଃ ପ୍ରବେଶ ଉପରେ କଡା ପ୍ରତିବନ୍ଧକ  । ଦୁର୍ନୀତିର ଗଡ କୁହାଯାଉଥିବା ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ କର୍ପୋରେସନ ବା ଇଡକୋରେ ଉଦ୍ୟୋଗରେ ପତିଙ୍କୁ ଶିଳ୍ପ ପ୍ରତିଷ୍ଠାନ ପାଇଁ ଜମି ଯୋଗାଣରେ ବ୍ୟାପକ ହେରଫେର ହୋଇଆସୁଥିଲା । ଏହି ଦୁର୍ନୀତି ଗଡର ବାଦସାହ କୁହାଯାଉଥିବା ପୁଷ୍ପରାଜ ପ୍ରଧାନଙ୍କ ବହୁ ଦୁର୍ନୀତିକୁ ନେଇ ପୂର୍ବରୁ ଆମେ ଏକାଧିକ ଖବର ପ୍ରସାରଣ କରିବା ପରେ ବିଭାଗୀୟ ମୁଖ୍ୟଙ୍କ ଦୃଷ୍ଟିକୁ ଆସିଥିଲା । ଏହା ପରେ ବିଭାଗର ଦୁର୍ନୀତି ତଥା ଦୁର୍ନୀତି ଗ୍ରସ୍ତଙ୍କ ଉପରେ କଠୋର ପଦକ୍ଷେପ ନେଇଛନ୍ତି ଇଡକୋର ସିଏମଡି । ଏବେ ଉକ୍ତ ଅଧିକାରୀଙ୍କୁ ପୁନଃ ଇଡକୋରେ ଅବସ୍ଥାପିତ କରିବାକୁ ବହୁ ଉଚ୍ଚ ପଦାଧିକାରୀ ତଥା ଇଡକୋ ସହ ପରୋକ୍ଷ ବା ପ୍ରତ୍ୟକ୍ଷରେ ଜଡିତ ବିଭାଗୀୟ ଉଚ୍ଚାଧିକାରୀ ଚାହୁଁଥିବା ବେଳେ କିନ୍ତୁ ସିଏମଡି ଏହାକୁ ନା କରି ଦେଇଛନ୍ତି । ସିଏମଡିଙ୍କ ଏହି କଠୋର ମନୋଭାବକୁ ନେଇ ଇଡକୋର ଛୋଟରୁ ବଡ ଦୁର୍ନୀତିଗ୍ରସ୍ତଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଛି । ନିଜ ପଦ ରକ୍ଷା କରିବାକୁ ପଡିଛି ଭାଳେଣି ।

ଆମେ ପୂର୍ବରୁ ଯେମିତି କହିଥିଲୁ ପୁଷ୍ପରାଜ ପ୍ରଧାନ ଇଡକୋ ଦ୍ୱାରା ଶିଳ୍ପ ସଂସ୍ଥାନ ପାଇଁ ସମସ୍ତ ଜାଗା ଆବଣ୍ଟନ କାର୍ଯ୍ୟକୁ କବଜା କରିଥିଲେ । ପ୍ରଧାନ ଶିଳ୍ପପତିଙ୍କୁ ଜାଗା ଦେବାକୁ ମୋଟା ଅଙ୍କ ଦାବି କରି ମୋଟା ଅଙ୍କ ଆଦାୟ କରିଆସୁଥିଲେ । ଯେଉଁ ଶିଳ୍ପପତି ପ୍ରଧାନଙ୍କ ଡିମାଣ୍ଡ ପୂରଣ କରିବାରେ ବିଫଳ ହେଉଥିଲେ ସେମାନଙ୍କ ଫାଇଲ ସେମିତି ବର୍ଷ ବର୍ଷ ଧରି ପଡିରହୁଥିଲା ନାଲିଫିତା ତଳେ । ନୋହିଲେ ମଞ୍ଚେଶ୍ୱରରେ ଜାଗା ଚାହୁଁ ଥିବା ବେଳେ ଚନ୍ଦକାରେ ଜାଗା ଦିଆଯାଉଥିଲା । ତା ଉପରେ ପୁଣି ଯେତିକି ଜାଗା ଇଡକୋ ଆବଣ୍ଟନ କରୁଥିଲା ସେଥିରୁ କିଛି ଅଂଶ ପ୍ରଧାନ ଉଦ୍ୟୋଗପତିଙ୍କୁ ଦେଇ ବାକିକୁ ନିଜ ଅକ୍ତିଆରରେ ରଖି ପରବର୍ତ୍ତୀ ସମୟରେ ଅନ୍ୟ ବ୍ୟକ୍ତିଙ୍କୁ ଦେଉଥିଲେ । ପ୍ରଧାନଙ୍କ ପ୍ରତି କାର୍ଯ୍ୟ ମୋଟା ଅଙ୍କରେ ହେଉଥିଲା ।

ଏନେଇ ବହୁ ବ୍ୟକ୍ତି ଅଭିଯୋଗ ମଧ୍ୟ କରୁଥିଲେ । କିନ୍ତୁ ଅଭିଯୋଗ ସିଏମଡିଙ୍କ ନିକଟକୁ ଯିବାକୁ ଦିଆଯାଉ ନଥିଲା । ଇଡକୋର ଏହି ଦୁର୍ନୀତି ସମ୍ପର୍କରେ ଏକାଧିକ ଅଭିଯୋଗ ଆଧାରରେ ଆମେ ଇଡକୋର ଏହି ମହା ଘୋଟାଲା ସମ୍ପର୍କରେ କ୍ରମାଗତଭାବେ ବହୁ ଖବର ପ୍ରକାଶ କରିଥିଲୁ । ପୁଷ୍ପରାଜ, ତାଙ୍କ ଭାଇ, ଇଡକୋର ଜଣେ ଅଧିକାରୀ ଓଏଏସ ଜେନାଙ୍କ କଳା କାରନାମାର ଚିଠା ପ୍ରକାଶ ପାଇଲା । ଯେତେବେଳେ ଖବର ଇଡକୋ ସିଏମଡିଙ୍କ ନଜରକୁ ଆସିଥିଲା ସେ ଏହାକୁ ନେଇ ବ୍ୟକ୍ତିଗତସ୍ତରରେ ତଦନ୍ତ ଆରମ୍ଭ କରିଦେଇଥିଲେ । ସେତେବେଳକୁ ପ୍ରଧାନଙ୍କ ଇଡକୋରେ ଦ୍ୱିତୀୟ ଇନିଂସ ଶେଷ ହୋଇଥିଲା । ସେ ଗତ ମାସ ୧୩ ତାରିଖରେ ଇଡକୋରୁ ଅବସର ନେଇଥିଲେ । କିନ୍ତୁ ଇଡକୋରେ ଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀ ତଥା କର୍ମଚାରୀ ପୁଣି ପ୍ରଧାନଙ୍କୁ ଅବସ୍ଥାପିତ କରିବାକୁ ଚାହିଁଥିଲେ । କାରଣ ଥରେ ଉପୁରି ଧନର ମଜା ଯିଏ ନେଇଛି ସେ ତାକୁ ଛାଡିବେ କେମିତି? ତେଣୁ ପ୍ରଧାନ ଆଜ୍ଞାଙ୍କୁ ପୁଣି ଏଣ୍ଟ୍ରି କରେଇବାକୁ ଚାଲିଥିଲା ଧାଁ ଦୌଡ । ହେଲେ ଏବେ ପ୍ରଧାନଙ୍କ ପାଇଁ ଇଡକୋର ସବୁ ଦ୍ୱାର ବନ୍ଦ ହୋଇଯାଇଛି । ଖାଲି ପ୍ରଧାନଙ୍କ ପ୍ରବେଶ ଉପରେ ନିଷେଦ୍ଧାଦେଶ ତା ନୁହେଁ, ବିଭାଗର ସବୁ ଦୁର୍ନୀତିଖୋର ଏବେ ସିଏମଡିଙ୍କ ସ୍କାନରରେ । ତେଣୁ ଏପରି କଳଙ୍କିତ ପୃଷ୍ଠପୋଷକତା ଥିବା କର୍ମଚାରୀ ଏବେ ଆତଙ୍କରେ । କେତେବେଳେ କାହା ମୁଣ୍ଡ ଗଡିବ ତାକୁ ନେଇ କୋକୁଆ ଭୟ ।