ଜୁନ ୨୫ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ

0

(ଅନୁସ୍ୱୟା)ଭୁବନେଶ୍ୱର: ଆସନ୍ତା ଜୁନ ୨୫ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଷୋଡ଼ଶ ବିଧାନସଭାର ନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ପ୍ରଥମ ଅଧିବେଶନ ବସିବ । ଆସନ୍ତା ୨୮ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଏ ନେଇ ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଦୁଇଟି ପର୍ୟ୍ୟାୟରେ ଅଧିବେଶନ ଅନୁଷ୍ଠିତ ହେବ। ପ୍ରଥମ ପର୍ୟ୍ୟାୟ ଜୁଲାଇ ୨ ତାରିଖ ପର୍ୟ୍ୟନ୍ତ ଚାଲିବ ଓ ଦ୍ୱିତୀୟ ପର୍ୟ୍ୟାୟ ଜୁଲାଇ ୧୨ରୁ ଆରମ୍ଭ ହୋଇ ଅଗଷ୍ଟ ୮ରେ ଶେଷ ହେବ।ଅଧିବେଶନର ପ୍ରଥମ ଦିନ ପ୍ରଚଳିତ ପରମ୍ପରା ମୁତାବକ ରାଜ୍ୟପାଳ ତାଙ୍କର ଅଭିଭାଷଣ ପ୍ରଦାନ କରିବେ। ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ୨୬ ତାରିଖ ଦିନ ଉପବାଚସ୍ପତି ନିର୍ବାଚନ ଲାଗି ସମୟ ସୂଚୀ ଘୋଷଣା କରାଯିବା ସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିବ। ୨୭ ତାରିଖ ଦିନ ଉପବାଚସ୍ପତି ନିର୍ବାଚନ ସାଙ୍ଗକୁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଶେଷ ହେବ। ୨୮ ତାରିଖ ଦିନ ଗୃହରେ ଚଳିତ ଆର୍ଥିକ ବର୍ଷ ଲାଗି ବଜେଟ ଉପସ୍ଥାପନ କରାଯିବ। ଜୁଲାଇ ୩୧ ତାରିଖ ଦିନ ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ ହେବ।ଏହି ଅଧିବେଶନ ଅଗଷ୍ଟ ୮ ତାରିଖ ପର୍ପ୍ୟନ୍ତ ଚାଲିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ମୌସୁମୀ ଅଧିବେଶନରେ ୩୦ଟି କାର୍ୟ୍ୟଦିବସ ରହିଛି।