ଅଂଶୁଘାତ ଓ ଜଳ କଷ୍ଟ ନିବାରଣ ଲାଗି ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କର ଏକଦିବସୀୟ ପ୍ରଶିକ୍ଷଣ ଶିବିର

0

ନବରଙ୍ଗପୁର/ଟୁକୁନା ଖୁରା: ଜିଲ୍ଲା ସ୍ତରୀୟ ଅଂଶୁଘାତ ଓ ଜଳ କଷ୍ଟ ନିବାରଣ ଲାଗି ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କର ଏକଦିବସୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ । ଆଜି ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ । “ଉତ୍ତାପ ତରଙ୍ଗ ଏବଂ ଜଳ ସଙ୍କଟ ପରିସ୍ଥିତି ପରିଚାଳନା” ବିଷୟବସ୍ତୁ ଉପରେ ବିଭିନ୍ନ ସ୍ତରର ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ମହୋଦୟ ଲୋକଙ୍କ ଜୀବନ ଏବଂ ଜୀବିକା ଉପରେ ଉତ୍ତାପ ତରଙ୍ଗ ତଥା ତାପମାତ୍ରା ବୃଦ୍ଧି କିପରି ପ୍ରତିକୂଳ ପ୍ରଭାବ ପକାଉଛି ସେ ବିଷୟରେ ଆଲୋଚନା କରିଥିଲେ।

ସୂଚନା ଅନୁଯାୟୀ, ପ୍ରାଥମିକ ସ୍ତରରେ ଏହି ଜଳବାୟୁ ପରିବର୍ତ୍ତନ ଏବଂ ଉତ୍ତାପ ତରଙ୍ଗ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ ସ୍ତରରୁ ଜିଲ୍ଲା ସ୍ତରୀୟ ପର୍ଯ୍ୟନ୍ତ ସାମଗ୍ରିକ ତଥା ଯୁକ୍ତିଯୁକ୍ତ ଯୋଜନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଉଦିୟମାନ ସମସ୍ୟାର ସମାଧାନ ପାଇଁ ସମସ୍ତ ଜିଲ୍ଲା ଅଧିକାରୀ ସେମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ଉଚିତ ବୋଲି ପରାମର୍ଶ ଦେଇଥିଲେ ଜିଲ୍ଲାପାଳ।

ଜଳବାୟୁ ପରିବର୍ତ୍ତନ ଏବଂ ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ହେବା, ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଲୋକମାନେ ଆଗାମୀ ଦିନରେ ଉତ୍କଟ ସମସ୍ୟା ଦେଇ ଗତି କରିବେ ବୋଲି ଆଲୋକପାତ କରିଥିଲେ। ବିଗତ ଦିନ ମାନଙ୍କରେ କିପରି ତାପମାତ୍ର ବୃଦ୍ଧି ହେଉଛି , ଜଳ କଷ୍ଟ ବଢୁଛି, ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ଏହାକୁ ରୋକିବାପାଇଁ ଆମ୍ଭେମାନେ ଦୃଢ ସଂକଳ୍ପ ଗ୍ରହଣ କରି ସଠିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଅଧିକାରୀ ମାନେ ନିଜ ନିଜ ବିଭାଗର ସଠିକ ନିରୂପଣ କରିବାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ ପାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ଏକ ଉତ୍କୃଷ୍ଟ ଏବଂ ଫଳପ୍ରଦ ତାଲିମ କାର୍ଯ୍ୟକ୍ରମ ଥିଲା ବୋଲି ଜଣାପଡିଛି।