ଠକାମୀର ନୂଆ ରୂପ ନେଇଛି ଅନଲାଇନ ଋଣ

0

(ମମତା ସାମଲ): ଯୁଗ ସହ ଆମ ମାନଙ୍କର ଚାଲିଚଳନ ପରିବର୍ତ୍ତନ ହେଉଛି । ଆଜିର ଯୁଗ ଇଣ୍ଟରନେଟର ଯୁଗ । ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ ଓ ଇଣ୍ଟର ନେଟ । ମୋବାଇଲ ଆଜି ଆମର ସମସ୍ତଙ୍କ କାର୍ଯ୍ୟକୁ ସହଜରେ ଓ ସୁବିଧାରେ କରି ଦେଉଛିା କିନ୍ତୁ ମୋବାଇଲରେ ଥିବା ଅନେକ ସୁବିଧାଗୁଡିକର ଫାଇଦା ନେବାକୁ ଯାଇ ବେଳେ ବେଳେ ଆମେ ବହୁ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥାଉ । । ମୋବାଇଲ ଆପ ଜରିଆରେ ଋଣ ନେଉଛନ୍ତି କି? ତା ହେଲେ ହୋଇଯାଆନ୍ତୁ ସାବଧାନ । ନହେଲେ ଆପଣ ହୋଇପାରନ୍ତି ଠକାମୀର ଶିକାର । ଏହିଭଳି କେତେଗୁଡାଏ ସାଇବର ଗ୍ୟାଙ୍ଗ ଆମ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଉପରେ ନଜର ରଖୁଛନ୍ତି । ପ୍ରଥମେ କଲ କରି ସେମାନେ ବିନା ସୁଧରେ ଋଣ ଦେବା କଥା କହିବେ । ୩୫% ସୁଧରେ ଟଙ୍କା ଦେବାର ଅଫର ଦେଇ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେବେ କୋଟି କୋଟି ଟଙ୍କା । ଏଭଳି ଆପର ବଶବର୍ତ୍ତୀ ହୋଇ ଦୈନିକ ଶହ ଶହ ଲୋକ ଠକାମୀର ଶିକାର ହେଉଛନ୍ତି ।


ବିନା ଅନୁମତିରେ ଆପ ତିଆରି କରି ଶହ ଶହ ଲୋକଙ୍କୁ ଠକୁଛି ଏଭଳି ଗ୍ୟାଙ୍ଗ । ଆରବିଆଇ ଏପରି କୌଣସି ଆପକୁ ଅନୁମତି ଦେଇନଥିଲେ ହେଁ ଦୀର୍ଘଦିନ ଧରି ଦେଶରେ ବିଭିନ୍ନ ସ୍ଥାନରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ଘଟଣା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଏହି ଆପ ବ୍ୟବହାର କଲେ ଆପଣ ନିଜର ସମସ୍ତ ଡାଟା ଅପଲୋଡ କରିବାକୁ ବାଧ୍ୟ ହେବେ । ସମସ୍ତ ଡାଟା ପାଇଗଲା ପରେ ଋଣ ପ୍ରଦାନକାରୀ ସଂସ୍ଥା ତାହାକୁ ଆଧାର କରି ଆପଣଙ୍କୁ ଅଫର ଲୋଭ ଦେଖାଇ ଆପଣଙ୍କୁ ଫୋନ କଲ କରିବ । ତା ପରେ ବିନା ସୁଧରେ ଋଣ ଦେବେ କହି ପକେଇବେ ଅଧିକା ଦାମର ଚାରଜେସ ।


ନିକଟରେ ତେଲେଙ୍ଗାନାର ୩ ଜଣ ବ୍ୟକ୍ତି ଏପରି ବେଆଇନ ମୋବାଇଲ ଆପ ଦ୍ୱାରା ଋଣ ନେଇଥିଲେ । ତେବେ ସେମାନଙ୍କୁ ଋଣ ପ୍ରଦାନକାରୀ ସଂସ୍ଥା ବାରମ୍ବାର ହଇରାଣ କରିବାରୁ ସେମାନେ ଆତ୍ମହତ୍ୟା କରିଥିଲେ । ଏହା ଚାରିଆଡେ ପ୍ରଘଟ ହେବା ପରେ ତେଲେଙ୍ଗାନା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପୋଲିସ ହାଇଦ୍ରାବାଦ ସମେତ ହରିୟାଣାର ଗୁରୁଗ୍ରାମର ଏକାଧିକ ସ୍ଥାନରେ ଚଢାଉ କରି ୧୬ ଜଣଙ୍କୁ ଗିରଫ କରିଥିଲା ।

ଏମାନଙ୍କ ମଧ୍ୟରେ ଆମେରିକାରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଜଣେ ୩୨ ବର୍ଷୀୟ ଯୁବକ ଶରତ ଚନ୍ଦ୍ରା ରହିଥିଲା । ସେ ଏକ ପ୍ରାଇଭେଟ କମ୍ପାନୀ ଦ୍ୱାରା ଋଣ କାରବାର ଚଳାଇଥିଲା । ଏହା ୨୦୧୮-୨୦୧୯ରୁ କାର୍ଯ୍ୟ କରୁଥିବା ଜଣାପଡିଛି । ଏହିଭଳି ସଂସ୍ଥା ରାଜ୍ୟ ବାହାରେ ଗୁଡାଏ ଖୋଲିଲାଣି । ସେଠାରେ ଯୁବକ/ଯୁବତୀମାନଙ୍କୁ ଠକେଇ କରିବାର ତାଲିମ ଦିଆଯାଉଛି । ଦୈନିକ ଶହ ଶହ ଲୋକଙ୍କୁ କଲ କରାଯାଇ ଋଣ ନେବାକୁ କହି ଏମାନେ ଠକୁଥିବା ଏବେ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଦିନକୁ ଦିନ ସାଇବର ଅପରାଧୀମାନଙ୍କ ସଂଖ୍ୟା ବଢି ଚାଲୁଥିବା ବେଳେ ପ୍ରମାଣ ଅଭାବରୁ ପୋଲିସ ଏମାନଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହିଁ ।