ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ ।ଶୀତ ଅଧିବେଶନର ଦ୍ୱତୀୟ ଦିନରେ ଗୃହ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ହଟ୍ଟଗୋଳ ଯୋଗୁଁ ଗୃହକୁ ପ୍ରଥମେ ୧୧ଟା୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଚାଷୀ ସମସ୍ୟାକୁ ନେଇ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟ ଜୋରଦାର ହୋହଲ୍ଲା କରିଥିଲେ ।ଫସଲ ବୀମା, ଇନପୁଟ୍ ସବସିଡି, ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀ ଅଧିବେଶନର ଦ୍ୱିତୀୟ ଦିନରେ ହୋହଲ୍ଲା କରିଛନ୍ତି ।ବିଧାନସଭା ଭିତରେ ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଆସି କଂଗ୍ରେସ ଦଳର ସଦସ୍ୟ ହୋହଲ୍ଲା କରିଛନ୍ତି । ତେବେ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରୁଥିବାବେଳେ ବିଜେଡି ବିଧାନସଭା ବାହାରେ ଏମଏସପି ପ୍ରସଙ୍ଗ ନେଇ ବିକ୍ଷୋଭ କରିଛି । ତେଣୁ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ଦିନ ୧୧.୩୦ ଯାଏ ମୁଲତବି ରଖିଥିଲେ ।
ପରବର୍ତ୍ତୀ ସମୟରେ ଗୃହ ଆରମ୍ଭ କରାଯାଇଥିବା ବେଳେ ପୁଣି ଥରେ ଚାଷୀ ପ୍ରସଙ୍ଗକୁ ନେଇ ଉଭୟ ଶାସକ ବିରୋଧୀ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଗୃହକୁ ଶାନ୍ତିଶୃଙ୍ଖଳାର ସହ ଚଳାଇବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବାରମ୍ବାର ଅନୁରୋଧ କରିଥିଲେ । କିନ୍ତୁ ଏହାର କୌଣସି ସୁଫଳ ମିଳିନଥିଲା । ଶେଷରେ ବାଚସ୍ପତି ଗୃହକୁ ୪ ଟା ଯାଏ ମୁଲତବି ରଖିଛନ୍ତି ।